ଅଘଟଣ ପରେ ସ୍ଵାଭାବିକ ହେଲା ପହଣ୍ଡି ବିଜେ, ଆଡ଼ପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧା ମୂରତି

Published By : Prameya-News7 Bureau | July 09, 2024 IST

ପୁରୀ: ଗୋଟିଏ ଦିନର ବିଳମ୍ବ ପରେ ମଙ୍ଗଳବାର ବଡ଼ ଠାକୁର ବଳଭଦ୍ରଙ୍କ ସହ ଅଘଟଣ ପରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜିଲେ ଚତୁର୍ଦ୍ଧା ମୂରତି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବଡ ଠାକୁର ଜଗନ୍ନାଥ  ଜନ୍ମବେଦୀକୁ ଯାଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି। 

ରତ୍ନବେଦୀରୁ ଜନ୍ମବେଦୀରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତୀ । ମଙ୍ଗଳବାର ରଥ ଉପରେ ହିଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମଙ୍ଗଳଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳ ବଲ୍ଲଭ ଭୋଗ ପରେ ସକାଳଧୂପ, ଭୋଗମଣ୍ଡପ ଓ ମଧ୍ୟାହ୍ନ ଧୂପ ସଂପନ୍ନ ହୋଇଥିଲା। ମାଘସ୍ନାନ, ସଂଧ୍ୟାଆଳତୀ, ପୁଷ୍ପାଞ୍ଜଳି ଓ ଡୋରଲାଗି ପରେ ଚାରମାଳ ବନ୍ଧାଯାଇ ସନ୍ଧ୍ୟାରେ ପହଣ୍ଡି ଆରମ୍ଭ ହୋଇଥିଲା।

Also read:  ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର, ୨ ସେବାୟତ ଆହତ

ପ୍ରଥମେ ବଳଭଦ୍ର ପହଣ୍ଡି ବିଜେ କରିଥିଲେ। ତେବେ ଏହା ପୂର୍ବରୁ ଗୋଟି ପହଣ୍ଡି ସମୟରେ ଘଟିଥିଲା ଅଘଟଣ। ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ ଠାକୁର ପ୍ରଭୁ ବଳଭଦ୍ର। ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ଆଣିବା ସମୟରେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ। ସେବାୟତଙ୍କ ହାତରୁ ପାଟ ରଶି ଖସିବାରୁ ଏମିତି ଅଘଟଣ ଘଟିଥିବା କୁହାଯାଉଛି। ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। ଏହା ପାଖାପାଖି ୪୦ ମିନିଟ୍ ପହଣ୍ଡି ବିଜେ ବନ୍ଦ ରହିଥିଲା। ପରିସ୍ଥିତି ସ୍ଵାଭାବିକ ହେବା ପରେ ମା ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। 

ଏହା ପରେ ଭଉଣୀ ସୁଭଦ୍ରା ଜନ୍ମବେଦୀକୁ ଫେରିଥିଲେ। ଶେଷରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଟାହିଆ ହଲାଇ ପହଣ୍ଡି ବିଜେ କରିଥିଲେ ମହାବାହୁ। ଜଗନ୍ନାଥ ଧ୍ଵନୀରେ ଉଚ୍ଛୁଳି ଉଠିଥିଲା ଶରଧାବାଲି ଓ ମାଉସୀ ମା ମନ୍ଦିର। ମହାପ୍ରଭୁ ଆଡପ ମଣ୍ଡପରେ ଥିଲେ ବି ଭକ୍ତ ଦର୍ଶନ କରିପାରିବେ ନାହିଁ। ଆଡ଼ପ ମଣ୍ଡପରେ ଶ୍ରୀଜିଉ ପହଞ୍ଚିବା ପରେ ଦହି ପଖାଳ ଭୋଗ, ବଡ଼ସିଂହାର ବେଶ ଓ ରାତ୍ର ପହୁଡ ହେବ। ଆସନ୍ତାକାଲି ଠାରୁ ଆଡ଼ପ ଅଭଡ଼ା ବାହାରିବ। ଗୁଣ୍ଡିଚା ମନ୍ଦିର ଆଡ଼ପ ଅଭଡ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.