ନୂଆଦିଲ୍ଲୀ, ୨୬/୦୬: ମଣିପୁରରେ ଉପୁଜିଥିବା ହିଂସା ଥମିବାର ନାଁ ନେଉନାହିଁ। ହିଂସା ରୋକିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ନିକଟରେ ମଣିପୁର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମଣିପୁର ସ୍ଥିତିକୁ ନେଇ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ହୋଇଛି। ତିନି ଘଣ୍ଟା ପର୍ଯ୍ୟନ୍ତ ହୋଇଥିବା ଏହି ବୈଠକରେ ୧୮ ରାଜନୀତିକ ଦଳଙ୍କ ପ୍ରତିନିଧି, ପୂର୍ବୋତ୍ତରର ଚାରି ସାଂସଦ ଏବଂ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ।
ତେବେ ସୋମବାର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଅମିତ ଶାହଙ୍କ ହୋଇଥିବା ବୈଠକ ବିଷୟରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କହିଛନ୍ତି ’‘କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ହିଂସାର ବଦଳୁଥିବା ପ୍ରକୃତି ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ।’’ ବିରେନ ସିଂହ କହିଛନ୍ତି ଆରମ୍ଭରେ ହିଂସା ଖୁବ୍ ସମ୍ବେଦନଶୀଳ ଏବଂ ରାଜନୀତିରୁ ପ୍ରେରିତ ଥିଲା। କିନ୍ତୁ ଏବେ କ’ଣ ହେଉଛି ତାହା ଆମେ କହିପାରିବୁନାହିଁ। ସ୍ଥିତି ଖୁବ୍ ଅରାଜକତାପୂର୍ଣ୍ଣ ରହିଛି।
ସିଂହ ନୂଆଦିଲ୍ଲୀରେ ଶାହଙ୍କ ସହ ବୈଠକରେ ମଣିପୁରର ତାଜା ସ୍ଥିତି ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ହିଂସାକୁ ଢେରମାତ୍ରାରେ ନିୟନ୍ତ୍ରିତ କରିବାରେ ସଫଳ ହୋଇଛନ୍ତି। ବିରେନ ସିଂହ ଆହୁରି କହିଛନ୍ତି ‘‘ଶାହ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ଆରକେ ରଞ୍ଜନ ସିଂହ ଏବଂ ରାଜ୍ୟ ମନ୍ତ୍ରୀ ସୁଶିନ୍ଦେ୍ରା ମେଇତିଙ୍କ ଘରକୁ ଆକ୍ରମଣ, ସରକାରୀ ସମ୍ପତ୍ତିକୁ ପୋଡ଼ାଜଳା, ଭଙ୍ଗାରୁଜା ଏବଂ ସୁରକ୍ଷା କର୍ମୀଙ୍କ ଯାଆସକୁ ବାଧା ପହଞ୍ଚାଇବା ଭଳି ପ୍ରସଙ୍ଗ ଉଠାଇଥିଲେ।’’
ଏହା ସହ ସେ ଶାହଙ୍କୁ ଏକ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ପ୍ରସଙ୍ଗ ବିଷୟରେ ଏକ ରିପୋର୍ଟ ମଧ୍ୟ ଦେଇଥିବା ନେଇ କହିଛନ୍ତି। ଆଉ ଅମିତ ଶାହ, କେନ୍ଦ୍ର ସରକାର ମଣିପୁରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ସବୁ ସମ୍ଭବ ପ୍ରାୟସ କରିବେ ବୋଲି ଆଶ୍ବସନା ଦେଇଛନ୍ତି।
ସୂଚନାଥାଉକି, ମଣିପୁରରେ ମେଇତି ସମୁଦାୟଙ୍କୁ ଅନୁସୂଚିତ ଜନଜାତି (ଏସଟି)କୁ ମାନ୍ୟତା ଦିଆଯିବା ଦାବିର ବିରୋଧରେ ମେ ୩ରେ ଆଦିବାସୀ ଏକତା ରାଲି ଆୟୋଜିତ କରାଯାଇଥିଲା। ଯାହାପରେ ମଣିପୁରରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଆହୁରି ପଢ଼ନ୍ତୁ: ମଣିପୁରରେ ବିଗୁଡ଼ିଥିବା ସ୍ଥିତିକୁ ନେଇ ଚିନ୍ତାରେ ସରକାର, ପିଏମ ମୋଦୀଙ୍କୁ ସ୍ଥିତି ସହ ଅବଗତ କରାଇଲେ ଅମିତ୍ ଶାହ