ନୂଆଦିଲ୍ଲୀ ୨୮।୧୨; ସରିଲା ମହାଯାତ୍ରା, ବିଦାୟ ନେଲେ ମନମୋହନ । ରୀତିନୀତିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ଶେଷ । ପଞ୍ଚଭୂତରେ ବିଲୀନ ହୋଇଛି ମନମୋହନ ସିଂହଙ୍କ ପାର୍ଥିବ ଶରୀର। ଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ଥଳସେନା, ବାୟୁସେନା ଓ ନୌସେନା ପକ୍ଷରୁ ସ୍ବର୍ଗତ ମନମୋହନ ସିଂହଙ୍କୁ ତୋପ ସଲାମି ଦିଆଯାଇଛି। ଶିଖ୍ ରୀତିନୀତି ଅନୁସାରେ ତାଙ୍କର ଅନ୍ତ୍ୟେଷ୍ଟି ଶେଷ ହୋଇଛି । ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦୂରଦର୍ଶୀ ନେତାଙ୍କୁ ଝୁରୁଛି ସାରା ଦେଶ । ସମର୍ଥକଙ୍କ ଅଶ୍ରୁରେ ଭିଜିଲା ନିଗମାବୋଧ ଘାଟ ।
ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ସାମିଲ୍ ହୋଇଥିଲେ । ଶନିବାର ସକାଳୁ ମନମୋହନଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ଶେଷ ଦର୍ଶନ କରିଥିଲେ ବନ୍ଧୁ ସମ୍ପର୍କୀୟ ।ଏହାପରେ ଶୋଭାଯାତ୍ରାରେ ନିଗମବୋଧ ଘାଟକୁ ପାର୍ଥିବ ଶରୀର ନିଆଯାଇଥିଲା । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହୋଇଛି ।