ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଅଭିଯୋଗ ପଞ୍ଜୀକରଣ ପାଇଁ ୧୦ କାଉଣ୍ଟର

Published By : Prameya-News7 Bureau | July 01, 2024 IST

ଭୁବନେଶ୍ୱର ୦୧/୦୭: ଆଜିଠୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ପ୍ରକୋଷ୍ଠ । ଏଠାକୁ ଲୋକେ ଆସି  ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ  କରିପାରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଦେବା ପାଇଁ ପ୍ରଥମେ  ନିଜ ନାଁ ପଞ୍ଜୀକରଣ କରିବାକୁ ହେବ । 

ୱେବସାଇଟ୍‌, ପୋର୍ଟାଲ, ଚିଠି ଓ ଇ-ମେଲ  ମାଧ୍ୟମରେ ନାଁ ପଞ୍ଜୀକରଣ କରିହେବ । ଲୋକେ ୟୁନିଟ୍‌-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଖୋଲିଥିବା  ୧୦ଟି କାଉଣ୍ଟରରେ ସିଧାସଳଖ ଅଭିଯୋଗ  ପଞ୍ଜୀକରଣ କରିପାରିବେ । 

ସକାଳ ୯ଟାରୁ ଦିନ ୧୨ଟା ଯାଏ  ଏଠାରେ ନାମ ପଞ୍ଜୀକରଣ ଚାଲିବ ।  www.janasunani.odisha.gov.in ୱେବସାଇଟ୍‌କୁ ଯାଇ ଲୋକେ  ନାମ ପଞ୍ଜୀକରଣ କରିବେ । ୱେବସାଇଟ୍‌ରେ  ପ୍ରଥମେ ନିଜର ପୂରା ନାମ ଓ ମୋବାଇଲ  ନମ୍ବର ଦେବା ସହ ଏକ ପାସ୍‌ୱାର୍ଡ ଦେଇ  ସାଇନ ଅପ୍‌ କରିବାକୁ ହେବ । ଏହାପରେ  ଲଗ୍‌ ଇନ୍‌ କରି ନିଜ ଅଭିଯୋଗ ପଞ୍ଜୀକରଣ  କରିବାକୁ ପଡ଼ିବ । ଏହାପରେ ଯାଇ ନିଜ  ପାଳି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । 

ସେହିଭଳି ୬୩୭୦୯୫୧୯୩୦ ହ୍ୱାଟସ୍‌  ଆପ୍‌ ନମ୍ବରକୁ ମେସେଜ୍‌ କରି ନିଜ ନାମ  ପଞ୍ଜୀକରଣ କରିହେବ । ଇ-ମେଲ୍‌ ଓ ଚିଠି ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିପାରିବେ ।  ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ  ଶୁଣାଣି ଆରମ୍ଭ କରିବେ । ପ୍ରତି ସୋମବାର ଏହି ଅଭିଯୋଗ ଶୁଣାଣି ଚାଲିବ । 

ମୁଖ୍ୟମନ୍ତ୍ରୀ ଯେଉଁ ସମ୍ମିଳନୀ କକ୍ଷରେ ବସି  ଅଭିଯୋଗ ଶୁଣିବେ ସେଠାରେ ଏକକାଳୀନ ୩୦ ଜଣ ଲୋକ ବସିପାରିବେ । ଏହାଛଡ଼ା  ଅନ୍ୟ ସମସ୍ତଙ୍କ ପାଇଁ ବସିବାର ବ୍ୟବସ୍ଥା  କରାଯିବ । ସମସ୍ତଙ୍କ ପାଇଁ ପାନୀୟଜଳ  ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ସବୁ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ  ରହିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମସ୍ୟା ଶୁଣିବା ସହ ଅଭିଯୋଗକୁ ସଂପୃକ୍ତ ବିଭାଗକୁ ପଠାଇବେ । ବିଭାଗୀୟ ମନ୍ତ୍ରୀମାନେ ତ୍ୱରିତ ପଦକ୍ଷେପ ନେଇ  ଅଭିଯୋଗ ସମାଧାନ ବ୍ୟବସ୍ଥା କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୁବିଧାରେ ନାମ ପଞ୍ଜୀକରଣ ପାଇଁ  ବାରିକେଡ୍‌ ବ୍ୟବସ୍ଥା ହୋଇଛି । ଲୋକେ ପ୍ରଥମେ ଧାଡ଼ିରେ ରହି ପଞ୍ଜୀକରଣ  କରିବେ । ଲୋକଙ୍କୁ ବର୍ଷା ଓ ଖରାରୁ ରକ୍ଷା  ପାଇଁ ପର୍ଯ୍ୟାପ୍ତ ସେଡ୍‌ ବ୍ୟବସ୍ଥା ହୋଇଛି ।  

ଦିବ୍ୟାଙ୍ଗଙ୍କୁ ଛିଡ଼ା ନ କରି ବସାଇବା ସୁବିଧା  କରାଯାଇଛି । ଜରୁରିକାଳୀନ ଚିକିତ୍ସା ପାଇଁ  ଅଭିଯୋଗ ପ୍ରକୋଷ୍ଠ ପରିସରରେ ଆଶୁ  ଚିକିତ୍ସା ସୁବିଧା ରହିବ । ଏଠାରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ନିୟୋଜିତ ହେବେ ।  ପ୍ରାଥମିକ ଚିକିତ୍ସା ସେବା ପାଇଁ ସବୁ ସୁବିଧା  ରହିବ । ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ମହଜୁଦ  ରହିବ । ଏହାବାଦ୍‌ ମୁଖ୍ୟମନ୍ତ୍ରୀଙ୍କ ବିଶ୍ରାମ ପାଇଁ  ଏକ ସ୍ୱତନ୍ତ୍ର ବିଶ୍ରାମ କକ୍ଷ ରହିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.