ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ କାଳରେ ବିରୋଧୀଙ୍କ ହଟ୍ଟଗୋଳ, ଜାଣନ୍ତୁ କ’ଣ କହିଲେ ବାଚସ୍ପତି ଓମ୍‌ ବିର୍ଲା?

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ ୨।୭: ସଂସଦରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ କାଳରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଚର୍ଚାର ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ଉଠି ଛିଡା ହେବାମାତ୍ରେ ବିରୋଧୀ ଦଳ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ସଂସଦରେ ତାଙ୍କ ଭାଷଣ ଜାରି ରଖିଥିଲେ। ଗୃହରେ ବିରୋଧୀଙ୍କ ଏଭଳି ବିଶୃଙ୍ଖଳାରେ ବାଚସ୍ପତି ଓମ୍‌ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। 

ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରସ୍ତାବ ଉପରେ ସଂସଦରେ ନିଜର ଜବାବ ରଖିବାକୁ ୪ଟା ୧୫ ମିନିଟ୍‌ରେ ଭାଷଣ ଦେବାକୁ ଆସନରୁ ଉଠିଥିଲେ।  ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ ନ କରଣୁ ବିରୋଧୀ ଦଳ ଗୃହରେ ହୋ ହଲ୍ଲା ଆରମ୍ଭ କରିଦେଇଥିଲେ। ଏଥି ପାଇଁ ବାଚସ୍ପତି ଓମ୍‌ ବିର୍ଲା ପ୍ରଥମେ ବିରୋଧୀଙ୍କୁ ନରମ ଗଳାରେ ବୁଝାଇଥିଲେ, ହେଲେ ସେମାନେ ନ ମାନିବାରୁ ବାଚସ୍ପତି ରାଗି ଯାଇଥିଲେ। ଓମ୍‌ ବିର୍ଲା କହିଥିଲେ ଯେ ଆଦରଣୀୟ ସଦସ୍ୟ ଏବେ ପ୍ରଧାନମନ୍ତ୍ରୀ କହିବେ। ମୁଁ ମଣିପୁରର ଜଣେ ସଦସ୍ୟଙ୍କୁ କହିବାକୁ ସୁଯୋଗ ଦେଇଛି। ତେବେ ବିରୋଧୀଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ବାଚସ୍ପତି କହିଥିଲେ। 

ପ୍ରଧାମନ୍ତ୍ରୀଙ୍କ ଭାଷଣ କାଳରେ କଂଗ୍ରେସ ଓ ଅନ୍ୟ ଦଳର ସାଂସଦମାନେ ନିଜନିଜ ଆସନରୁ ଉଠି ଗୃହର ମଧ୍ୟ ସ୍ଥଳକୁ ପହଞ୍ଚି ବିରୋଧ ପ୍ରଦର୍ଶନ କରିବାରେ ଲାଗିଥିଲେ। ଏଥିରେ କଂଗ୍ରେସ ପାର୍ଟିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ‘ଆପଣମାନେ ଦେଶର ସବୁଠୁ ପୁରୁଣା ପାର୍ଟି, ହେଲେ ଆପଣମାନେ ଯାହା କରୁଛନ୍ତି ଏହା ଠିକ ନୁହେଁ’ ବୋଲି କହିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଦେଶ ଦୀର୍ଘ ସମୟରୁ ତୁଷ୍ଟିକରଣର ଶାସନ ମଡେଲକୁ ଦେଖି ଆସୁଛି, ଏଥିରେ ଆମେ ଧର୍ମନିରପେକ୍ଷତା ପାଇଁ ଯେଉଁ ପ୍ରୟାସ କରୁଛୁ ତାକୁ ମଧ୍ୟ ଦେଶ ଦେଖୁଛି ବୋଲି କହିଥିଲେ। ଆମେ ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣର ବିଚାରରେ ଚାଲୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ କାଲି ଓ ଆଜି ସମ୍ମାନୀୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ନିଜର ବିଚାର ବ୍ୟକ୍ତ କରିଛନ୍ତି। ବିଶେଷ କରି ଯେଉଁମାନେ ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇ ଆମ ଗହଣକୁ ଆସିଛନ୍ତି ଓ ସେମାନଙ୍କ ମଧ୍ୟରୁ କେତେକ ନିଜର ବିଚାର ବ୍ୟକ୍ତ କରିଛନ୍ତି, ସେମାନେ ସଂସଦର ନିୟମ ପାଳନ କରି ବିଚାର ବ୍ୟକ୍ତ କରିଛନ୍ତି ଓ ସେମାନଙ୍କ ବ୍ୟବହାର ଏପରି ଥିଲା ଯେପରି ସେମାନେ ଅଭିଜ୍ଞ ସାଂସଦ ଓ ସେମାନେ ସଂସଦର ଗାରିମାକୁ ବଢାଇଛନ୍ତି । ସେମାନେ ନିଜ ବିଚାରରେ ଏହି ଚର୍ଚ୍ଚାକୁ ଅଧିକ ମୂଲ୍ୟବାନ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.