TMC ନେତା ମୁକୁଲ ରାୟ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | July 04, 2024 IST

କୋଲକାତା ୪।୭: ତୃଣ ମୂଳ କଂଗ୍ରେସ (ଟିଏମସି)ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ମୁକୁଲ ରାୟଙ୍କୁ ଗୁରୁବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଥ ରୁମରେ ପଡିଯିବା ଯୋଗୁ ସେ ବେହୋସ ହୋଇଯାଇଥିଲେ। ପାରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମିଳୁଥିବା ସୂଚନା ଅନୁସାରେ ମୁକୁଲ ରାୟ ପଡିଯିବା ଯୋଗୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ହସ୍ପିଟାଲ ପକ୍ଷରୁ ମୁକୁଲ ରାୟଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ଡାକ୍ତରଙ୍କ ଏକ ଟିମ୍‌ ଗଠନ କରାଯାଇଛି। 

ହସ୍ପିଟାଲର ଜନୈକ ଅଧିକାରୀଙ୍କ ଅନୁସାରେ ମୁକୁଲ ରାୟ ନର୍ଭସ ସିଷ୍ଟମ ସମ୍ପର୍କିତ ରୋଗରେ ଆକ୍ରାନ୍ତ। ଅଧିକାରୀଙ୍କ ଅନୁସାରେ ମୁଣ୍ଡରେ ଆଘତ ଲାଗି ବେହୋସ ହେବା ପୂର୍ବରୁ ମୁକୁଲ ରାୟଙ୍କୁ ବାନ୍ତି ମଧ୍ୟ ହୋଇଥିଲା। ରାୟଙ୍କ ସମସ୍ତ ଜରୁରି ଯାଞ୍ଚ ଶେଷ ହୋଇଛି। ତେବେ ପରବର୍ତ୍ତି ଚିକିତ୍ସା ନିମନ୍ତେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟ ପିତା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ମୁକୁଲ ରାୟ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରୁ ଜଣେ। କିଛି ମାସ ପୂର୍ବେ ମଧ୍ୟ ସେ ଅସୁସ୍ଥ ହୋଇଥିଲେ। ତାଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେତେବେଳେ ମୁକୁଲ ରାୟ ଠିକେ ଭାବେ ଖାଦ୍ୟ ଖାଇ ପାରୁନଥିଲେ। ୨୦୧୭ ମସିହାରେ ମୁକୁଲ ରାୟ ବିଜେପିରେ ଯୋଗ ଦେଇଥିଲେ ଓ ୨୦୨୧ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରେ କୃଷ୍ଣ ନଗର ଉତ୍ତରରୁ ବିଜୟୀ ହୋଇଥିଲେ। ତେବେ ପରେ ସେ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରି ଆସିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.