ଭାରତରେ ନିବେଶ କରିବ ନାହିଁ ଟେସ୍‌ଲା ! ଆର୍ଥିକ ସଂକଟ ଦେଇ ଗତ କରୁଛି କମ୍ପାନୀ

Published By : Prameya-News7 Bureau | July 04, 2024 IST

internet

ନୂଆଦିଲ୍ଲୀ: ଭାରତକୁ ଠକି ଦେଲା ଟେସ୍‌ଲା। କାର୍ କମ୍ପାନୀ ଆଉ ବୋଧେ ଭାରତରେ ନିବେଶ କରିବ ନାହିଁ। କାରଣ ଇଲେକ୍ଟ୍ରିକ୍‌ କାର୍ ମେକର ଟେସ୍‌ଲାର କର୍ମଚାରୀମାନେ ଭାରତରେ ନିବେଶ ନେଇ ଆଲୋଚନା ବନ୍ଦ କରିଦେଇଛନ୍ତି। ଏଣୁ କମ୍ପାନୀ ନିବେଶ କରି ନପାରେ ବୋଲି ବ୍ଲୁମବର୍ଗରେ ରିପୋର୍ଟ ପ୍ରକାଶ ପାଇଛି। 

ଗତ ଏପ୍ରିଲ ମାସରେ ଏଲନ ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ଥିଲା। ଏହାପରେ ନିବେଶ ନେଇ ଘୋଷଣା କରିବାର ଥିଲା। କମ୍ପାନୀ ଆସନ୍ତା ୩  ବର୍ଷରେ ୪,୫୦୦ କୋଟିରେ ପ୍ଲାଣ୍ଟ ବସାଇ ପ୍ରଥମେ ପ୍ରଡକ୍ସନ ଆରମ୍ଭ କରିବ ବୋଲି କହିଥିଲା।କିନ୍ତୁ ମସ୍କ ଭାରତ ଆସିବା ପରିବର୍ତ୍ତେ ଚୀନ ଚାଲିଯାଇଥିଲେ। ଯାହାକୁ ନେଇ ସେତେବେଳେ ରିପୋର୍ଟ ପ୍ରକାଶ ପାଇଥିଲା। ଆଉ ସେବେଠାରୁ ମସ୍କଙ୍କ ଟିମ୍ ପୁଞ୍ଜି ନିବେଶ ନେଇ ଭାରତ ସରକାରଙ୍କ ସହିତ କୌଣସି ଆଲୋଚନା କରି ନଥିବା ରିପୋର୍ଟରେ କୁହାଯାଇଛି। 

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ କମ୍ପାନୀ ଭାରତରେ ନିବେଶ କରିପାରିବ ନାହିଁ। କାରଣ ଟେସ୍‌ଲା ବର୍ତ୍ତମାନ ଆର୍ଥିକ ସଂକଟ ଦେଇ ଗତି କରୁଛି। ତେଣୁ କମ୍ପାନୀ ନିକଟ ଭବିଷ୍ୟତରେ ଭାରତରେ ନିବେଶ କରିପାରିବ ନାହିଁ ବୋଲି ଭାରତ ସରକାରଙ୍କୁ ଜଣାଇଥିବା ସୂଚନା ମିଳିଛି। 

ସେପଟେ ଟେସଲାର ବିଶ୍ୱସ୍ତରରେ ତ୍ରୟମାସିକ ଡେଲିଭରିରେ ଲଗାତର ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ଚୀନ୍‌ରେ କମ୍ପାନୀକୁ କଡ଼ା ଟକ୍କର ଦେଖିବାକୁ ମିଳୁଛି। ତେଣୁ ବିକ୍ରି କମ ହେବା ସହ ଅନ୍ୟ କମ୍ପାନୀମାନଙ୍କ ସହ ଟକ୍କରରେ ଟେସଲା ଆର୍ଥିକ ସ୍ଥିତି ଭଲ ନାହିଁ। ତେଣୁ ଏଭଳି ସମୟରେ କମ୍ପାନୀରେ ଭାରତରେ ନିବେଶ ନେଇ ଋଚି ଦେଖାଉ ନାହିଁ। ଏପ୍ରିଲ ମାସରେ ମସ୍କ କମ୍ପାନୀରେ ଛଟେଇ ଘୋଷଣା କରିଥିଲେ। ସେହିପରି ଟେସଲରା ଲେଟେଷ୍ଟ ମଡେଲ ସାଇବରଟ୍ରକ ବିକ୍ରିରେ ସେତେଟା ବୃଦ୍ଧି ହୋଇ ନାହିଁ। ଅନ୍ୟପଟେ ମେକ୍ସିକୋରେ ଏକ ନୂଆ ପ୍ଲାଣ୍ଟ ନିର୍ମାଣ କାମ ମଧ୍ୟ ବିଳମ୍ବ ହେଉଛି। 

ଅନ୍ୟପଟେ ଟେସ୍‌ଲା ଭଳି ବେଦେଶୀ କମ୍ପାନୀ ଭାରତରେ ନିବେଶ କରିବା ଆଗ୍ରହ ପ୍ରକାଶ କରୁନଥିବାରୁ ସରକାର ବର୍ତ୍ତମାନ ଇଭି ଉତ୍ପାଦନ ବୃଦ୍ଧି ପାଇଁ ଟାଟା ମୋଟର୍ସ ଲିମିଟେଡ୍ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ ଭଳି ଘରୋଇ ଅଟୋମେକର୍ ଉପରେ ନିର୍ଭର କରୁଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ତଥାପି ଟେସ୍‌ଲା ଭାରତ ସହିତ ପୁଣିଥରେ ଆଲୋଚନା କଲେ ନୂଆ ଆମଦାନୀ ଟ୍ୟାକ୍ସ ପଲିସିରେ ଫାଇଦା ପାଇପାରିବ ବୋଲି ଭାରତୀୟ ଅଧିକାରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.