ଅଗ୍ନିବୀର ଅଜୟ କୁମାରଙ୍କୁ ନେଇ ସେନା ଓ ସରକାରଙ୍କୁ ଘେରିଲା କଂଗ୍ରେସ, ଜାଣନ୍ତୁ ପଚାରିଛି କ’ଣ?

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ ୪।୭: କଂଗ୍ରେସ ଏକ୍ସ-ସର୍ଭିସ୍ ମ୍ୟାନ୍‌ ବିଭାଗର ଚେୟାରମ୍ୟାନ ରୋହିତ ଚୌଧୁରୀ ୪ ଜୁଲାଇ ଗୁରୁବାର ସେନାର ସେହି ଟ୍ୱିଟ୍‌ କୁ ନେଇ ପ୍ରଶ୍ନ କରିଛନ୍ତି ଯେଉଁଥିରେ ଅଗ୍ନି ବୀର ଅଜୟ କୁମାରଙ୍କୁ ୯୮ ଲକ୍ଷ ଟଙ୍କା ଦିଆଯାଇଥିବା ଓ ମୋଟ ୧୬୭ ଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଇଛି। ଚୌଧୁରୀ ଏହାକୁ ନେଇ କହିଛନ୍ତି ଯେ ଯେବେବି ମୋଦି ସରକାର ଫଶନ୍ତି ସେତେବେଳେ ଭାରତୀୟ ସେନା ପଛପଟେ ଲୁଚନ୍ତି । 

ଚୌଧୁରୀ କହିଛନ୍ତି ଯେ ସେନା ଯେଉଁ ଟ୍ୱିଟ୍‌ କରିଛି ଆମେ ତାକୁ ଦେଖିଛୁ। ଏବେ ସେନା କହୁ ୯୮ ଲକ୍ଷ ଟଙ୍କା ହେଲା କିପରି? ଅଗ୍ନି ବୀର ନୀତି ଅନୁସାରେ ଯଦି ୧କୋଟି ୬୭ ଲକ୍ଷ ଟଙ୍କା ହେଉଛି, ତେବେ ଏହା କେମିତି ହେଉଛି ବିଶ୍ଲେଷଣ କରୁ। କଂଗ୍ରେସ ସ୍ୱୀକାର କରିଛି ଯେ ଶହୀଦ ଅଜୟଙ୍କ ପରିବାରକୁ ପାଖାପାଖି ୧ କୋଟି (ସେନାରୁ ୪୮ ଲକ୍ଷ ଓ ବୀମା ବାବଦକୁ ୫୦ଲକ୍ଷ)ର ସହାୟତା ମିଳିଛି। ତେବେ କଂଗ୍ରେସ କହିଛି ଯେ ନିୟମିତ ସୈନିକଙ୍କ ଶହୀଦ ହେବାରେ ଏହି ରାଶି ଅଢେଇକୋଟି ହୋଇଥାଏ। 

କଂଗ୍ରେସ ଏହା ମଧ୍ୟ ଦାବି କରିଛି ଯେ ଏ ପର୍ଯ୍ୟନ୍ତ ୧୩ ଜଣ ଅଗ୍ନିବୀର ଶହୀଦ ହେଲେଣି। ଯେଉଁମାନଙ୍କ ମଧ୍ୟରୁ ଅଧା ଆତ୍ମହତ୍ୟା କରିଛନ୍ତି ଓ ସେମାନଙ୍କ ପରିବାରକୁ କୌଣସି କ୍ଷତିପୂରଣ ମିଳି ନାହିଁ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସେନା ୩ ଜୁଲାଇ ବୁଧବାର ସେହି ସବୁ ଦାବିକୁ ଖାରଜ କରିଦେଇଥିଲା ଯେଉଁଥିରେ ଡ୍ୟୁଟି କାଳରେ ପ୍ରାଣ ହରାଇଥିବା ଅଗ୍ନି ବୀର ଅଜୟ କୁମାରଙ୍କ ପରିଜନଙ୍କୁ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ ବୋଲି କୁହାଯାଇଥିଲା। ସେନା କହିଥିଲା ଯେ ତାଙ୍କ ପରିବାରଙ୍କୁ ୯୮.୩୯ ଲକ୍ଷ ଟଙ୍କା ଦିଆଯାଇଛି। 

ତେବେ ଅଗ୍ନି ବୀର ଅଜୟଙ୍କ ପରିବାର ଡ୍ୟୁଟି କାଳରେ ଶହୀଦ ହୋଇଥିବାରୁ ଭାରତୀୟ ସେନାଠାରୁ ‘ଶହୀଦ’ ମାନ୍ୟତା  ଦାବି କରିଛି। ପରିବାର କହିଛି ଯେ କ୍ଷତିପୂରଣ ରାଶି ଅଜୟ କୁମାରଙ୍କ ସ୍ଥାନ ନେଇ ପାରିବନି। ତାଙ୍କ ପିତା କହିଛନ୍ତି ଯେ ଆମେ ଚାହୁଁଛୁ ଅଗ୍ନିବୀର ଯୋଜନାକୁ ସମାପ୍ତ କରିଦିଆଯାଉ ଓ ଆମକୁ ପେନସନ୍‌ ଓ କ୍ୟାଣ୍ଟିନ କାର୍ଡ ମିଳୁ। ସେ ମଧ୍ୟ ଏହା କହିଛନ୍ତି ଯେ ପରିବାରକୁ ୯୮ ଲକ୍ଷ ଟଙ୍କା ମିଳିଛି, ଏଥିରେ ସେନା ପକ୍ଷରୁ ମାତ୍ର ୪୮ ଲକ୍ଷ ଟଙ୍କା ଦିଆଯାଇଛି। ଏହା ସେନା ବୟାନର ବିପରୀତ, ଯେଉଁଥିରେ ସେନା ପରିବାରକୁ ମୋଟ ଦେୟ ୯୮.୩୯ଲକ୍ଷ ଟଙ୍କା ଦିଆଯାଇଛି ବୋଲି ଦାବି କରିଥିବା ଚୌଧୁରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.