ଚାକିରିରେ ଅବସର ବୟସ ସୀମା ବୃଦ୍ଧି କରିବ ଚାଇନା: ଦ୍ରୁତ ଗତିରେ ହେଉଛି ଜନସଂଖ୍ୟାରେ ପରିବର୍ତ୍ତନ, ଚିନ୍ତାରେ ଚୀନ

Published By : Prameya-News7 Bureau | September 14, 2024 IST

internet

ନୂଆଦିଲ୍ଲୀ: ଚାକିରିରେ ଅବସର ବୟସ ସୀମା ବୃଦ୍ଧି କରିବ ଚାଇନା। କାରଣ ବର୍ତ୍ତମାନ ଦେଶରେ ଜନସଂଖ୍ୟା ଜନିତ ସମସ୍ୟା ସୃଷ୍ଟି ହୋଇଛି। ଚୀନରେ ଜନ୍ମହାର କମୁଥିବା ବେଳେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଛି। ଆସନ୍ତା ୧୦ ବର୍ଷରେ ଲକ୍ଷାଧିକ ଲୋକ ବୟସ୍କ ବର୍ଗରେ ପ୍ରବେଶ କରିବେ। ତେଣୁ ଚୀନ ଅବସର ବୟସ ସୀମାକୁ ବୃଦ୍ଧି କରିପାରି ବୋଲି ଏଜେନ୍ସି ଫ୍ରାନ୍ସ ପ୍ରେସ୍‌ରେ ଖବର ପ୍ରକାଶ ପାଇଛି। ଚୀନର ଏଭଳି ପଦକ୍ଷେପ ନେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଅର୍ଥନୀତି, ସ୍ୱାସ୍ଥ୍ୟାବସ୍ଥା ଓ ସାମାଜିକ ମଙ୍ଗଳ କାର୍ଯ୍ୟରେ ପଡ଼ିଥିବାକୁ ଖରାପ ପ୍ରଭାବକୁ ରୋକିବା।

୨୦୨୩ରେ ଚୀନରେ ଲଗାତର ଦ୍ୱିତୀୟ ଥର ପାଇଁ ଜନସଂଖ୍ୟା କମିଛି। ଅନ୍ୟପଟେ ଦୀର୍ଘବର୍ଷ ହେଲା ଅବସର ବୟସ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବିଶ୍ୱରେ ଚୀନରେ ହିଁ ଅବସର ବୟସ ସବୁଠାରୁ କମ ରହିଛି। ଚୀନର ସରକାରୀ ଗଣମାଧ୍ୟମ ଏଜେନ୍ସି ସିନହୁଆରେ ପ୍ରକାଶିତ ଖବର ଅନୁସାରେ, କର୍ମଚାରୀଙ୍କ ଅବସର ବୟସ ସୀମା ୬୦ରୁ ୬୩କୁ ବୃଦ୍ଧି କରାଯିବ। ସେହିପରି ମହିଳାଙ୍କ କ୍ଷେତ୍ରରେ ଚାକିରି ପ୍ରକାର ଓ ସ୍ଥିତି ଦେଖି ଅବସର ବୟସ ସୀମା ୫୦ରୁ ୫୫ ପୁଣି ୫୫ରୁ ୫୮ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ୨୦୨୫ରୁ ଧୀରେ ଧୀରେ ୧୫ ବର୍ଷ ଭିତରେ ଏହି ନୂଆ ନିୟମ ଲାଗୁ କରାଯିବ। 
ସେହିପରି ପେନସନ ଯୋଗଦାନର ସର୍ବନିମ୍ନ ବୟସ ସୀମା ୧୫ ରୁ ୨୦ କରାଯାଇଛି। ନୂଆ ନିୟମରେ କର୍ମଚାରୀ ଚାହିଁଲେ ନିଯୁକ୍ତିଦାତାଙ୍କ ସହ ଆଲୋଚନା କରି ଅବସର ବୟସ ବଢ଼ାଇପାରିବେ। ଆୟୁଷ, ସ୍ୱାସ୍ଥ୍ୟ ଅବସ୍ଥା, ଶିକ୍ଷା ସ୍ତର ଏବଂ କର୍ମଜୀବୀ ଯୋଗାଣ ସମେତ ବିଭିନ୍ନ କାରଣ ଉପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ତେବେ ସରକାର ୨୦୧୩ରୁ ଏହା ଲାଗୁ କରିବାକୁ ଯୋଜନା କରୁଥିଲେ। ଦୀର୍ଘଦିନର ଆଲୋଚନା ପରେ ଏବେ ନିୟମ ଲାଗୁ କରିବାକୁ ସମୟ ଆସି ଯାଇଛି ବୋଲି ଚୀନର ଶ୍ରମ ଅର୍ଥନୀତିଜ୍ଞ ଲି ଚାଙ୍ଗନ କହିଛନ୍ତି। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.