ଚୀନ ଉପରେ ୫୦ପ୍ରତିଶତ ଅତିରିକ୍ତ ଟାରିଫ, ଖୋଲା ଚେତାବନୀ ଦେଲା ଆମେରିକା

Published By : Prameya-News7 Bureau | April 08, 2025 IST

ନୂଆଦିଲ୍ଲୀ ୦୮/୦୪: ସାରା ବିଶ୍ବରେ ଟାରିଫ ୱାର ସ୍ଥିତି । ଚୀନ-ଆମେରିକା ମୁହାଁମୁହିଁ । ବେଜିଂ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ ଲଗାଇଲେ ଟ୍ରମ୍ପ୍ ।  ଫଳରେ ଚୀନ ସାମଗ୍ରୀ ଉପରେ ଆମେରିକାର ମୋଟ ଟାରିଫ ୯୪ ପ୍ରତିଶତ ଛୁଇଁଛି । ପୂର୍ବରୁ ୩୪ ପ୍ରତିଶତ ଟାରିଫ ସହ ନୂଆ ୫୦ ପ୍ରତିଶତ ଏହାଛଡ଼ା ସବୁ ଦେଶ ଉପରେ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫକୁ ମିଶାଇ ଚୀନ ଉପରେ ୯୪ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା ।

ଆମେରିକାର ସବୁ ସାମଗ୍ରୀ ଉପରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ୩୫% ଶୁଳ୍କ ଲଗାଇବାର ୪୮ ଘଣ୍ଟା ପରେ ଅତିରିକ୍ତ ଶୁଳ୍କ ଲାଗୁ କରିଛି ଆମେରିକା । ଯେସାକୁ ତେସା ନୀତିରେ ବିଶ୍ବାସ ରଖୁଥିବା ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ଟାରିଫ ଯୁଦ୍ଧ ଆଗକୁ ବିଶ୍ବ ବଜାରକୁ ଅଧିକ ପ୍ରଭାବିତ କରିବ । ସେପଟେ ଜବାବରେ ଜିନପିଙ୍ଗ ପୁଣି ଟାରିଫ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି । ଯଦି ଏଭଳି ହୁଏ ଭାରତକୁ ଫାଇଦା ମିଳିବ । ଟ୍ରମ୍ପଙ୍କ ଶୁଳ୍କ ଉପରେ ୯୦ ଦିନର ରୋକ ଲାଗିପାରେ ବୋଲି ଚର୍ଚ୍ଚା ଭିତରେ ଏଭଳି ଘୋଷଣା କରିଛି ଆମେରିକା ।  

ସେପଟେ ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ବର ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଆମେରିକା ସମେତ ଭାରତର ସେୟାର ବଜାର କ୍ରାସ ହୋଇଛି । ଫଳରେ ନିବେଶକମାନେ ଚିନ୍ତାରେ ପଡିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ରେ ବିଶ୍ୱର ବିଭିନ୍ନ ଦେଶକୁ ଟାର୍ଗେଟ କରି ପାଲଟା ଶୁଳ୍କ ଘୋଷଣା କରିଥିଲେ । ଅଟୋ ମୋବାଇଲ, ଦୁଗ୍ଧ, ଇସ୍ପାତ ଏବଂ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ଏହି ଶୁଳ୍କ ଦ୍ୱାରା ବିପଦରେ ପଡ଼ିଛି । ରାଷ୍ଟ୍ରପତି ଚୀନରୁ ଆମଦାନୀ ଉପରେ ୩୪ ପ୍ରତିଶତ ଏବଂ ୟୁରୋପୀୟ ସଂଘରୁ ଆମଦାନୀ ଉପରେ ୨୦ ପ୍ରତିଶତ ନୂଆ ଶୁଳ୍କ ଲାଗୁ କରିଛନ୍ତି । 

ଚୀନ ସହିତ ଭାରତ ଉପରେ ୨୭ ପ୍ରତିଶତ ରିହାତି ଶୁଳ୍କ ଘୋଷଣା କରିଛନ୍ତି । ଯେଉଁ ସବୁ ଦେଶ ଉପରେ ଆମେରିକା ପ୍ରତିଶୋଧମୂଳକ ଶୁଳ୍କ ଲଗାଇଛି ତାହାର ତାଲିକା ୧୦%ରୁ ୪୯% ପର୍ଯ୍ୟନ୍ତ ରହିଛି। ଚୀନ୍ ଉପରେ ୩୪%, ୟୁରୋପୀୟ ସଂଘ ଉପରେ ୨୦%, ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ଭିଏତନାମ ଉପରେ ୪୬%, ତାଇୱାନ ଉପରେ ୩୨%, ଶ୍ରୀଲଙ୍କା ଉପରେ ୪୪% ଏବଂ ପାକିସ୍ତାନ ଉପରେ ୨୯% ରେସିପ୍ରୋକଲ ଟାରିଫ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ । ଏହାକୁ ନେଇ ବିଶ୍ବବ୍ୟାପି  ଅସନ୍ତୋଷ ଦେଖାଦେଇଛି । ବିରୋଧ ପ୍ରଦର୍ଶନ ବି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.