ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିବା ଓ ପୂର୍ବତନ ବିଧାୟକ ଆକ୍ରମଣ ଘଟଣା, ବିଜେପି ସରକାରକୁ ଘେରିଲା ବିଜେଡି

Published By : Prameya-News7 Bureau | April 16, 2025 IST

ଭୁବନେଶ୍ଵର: ଆସନ୍ତାକାଲି ବିଜୁ ବାବୁଙ୍କର ୨୮ ତମ ତିରୋଧାନ ଦିବସ। ଏହାକୁ ଦଳ ତରଫରୁ ରାଜ୍ୟବ୍ୟାପୀ ପାଳନ କରାଯିବ। ତେବେ ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ବିଜ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଦେବା ଘଟଣାକୁ ନେଇ ବିଜେଡି ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ୍ କରିଛି। ଏଥିସହ ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଦଳ ଅଭିଯୋଗ କରିଛି। ଶାନ୍ତିପ୍ରିୟ ଓଡ଼ିଶାରେ ପ୍ରତ୍ୟେକ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଏମିତି ଅଭିଯୋଗ କରିଛି ବିଜେଡି। 

ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, ଗତକାଲି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦିଆଗଲା। ଏହାକୁ ନେଇ ସମ୍ୱଲପୁରରେ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କ ପ୍ରତିନିଧିତ୍ଵରେ ପ୍ରତିବାଦ କରାଯାଉଥିବା ସମୟରେ କିଛି ପୋଲିସ ସରକାରୀ ଦଳର ହାତବାରିଶୀ ସାଜି ଯାହା ଘଟିଲା ତାହାକୁ ଆମେ ନିନ୍ଦା କରୁଛୁ ବୋଲି କହିଥିଲେ। ନୂଆ ସରକାର ଆସିଲା ପରେ ବିଜୁ ବାବୁଙ୍କ ସମସ୍ତ ସ୍ମୃତିକୁ ଲିଭେଇଦେବା ପାଇଁ ଚେଷ୍ଟା କରାଯାଉଛି। ମାର୍ଚ୍ଚ ୫ ହେଉ କି ଗତକାଲିର ଘଟଣା ହେଉ ଯେତେବେଳେ ସମ୍ବଲପୁରରେ ବ୍ୟବସ୍ଥାକୁ ପ୍ରଶ୍ନ ପଚରାଗଲା ସେଇଠି ପୋଲିସର ଆଭିମୁଖ୍ୟକୁ ଆମେ ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜେଡିର ଏହି ବରିଷ୍ଠ ନେତା । 

ସାଧାରଣ ନିର୍ବାଚନ ପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ କ୍ରମାଗତ ଭାବରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଇଛି ତାହାର ନଗ୍ନ ରୂପ ଏବଂ ଉଗ୍ର ଆଚରଣ ତିନି  ଦିନ ତଳେ ଦେଖିବାକୁ ମିଳିଛି। ଧର୍ମଶାଳାର ପୂର୍ବତନ ବିଧାୟକ ଯେତେବେଳେ ଗୋଟିଏ ଗାଁ ର ପାର୍ବଣରେ ଯୋଗ ଦେବା ପାଇଁ ସେତେବେଳେ ଶହ ଶହ ଲୋକ ମାରଣାସ୍ତ୍ର ଧରି ପୋଲିସ ଉପସ୍ଥିତିରେ ଖଣ୍ଡା କାତି ଭୁଜାଲି ଧରି ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ କଲେ। ଏହା ଓଡ଼ିଶାରେ କେବେ ହେଇ ନଥିଲା। 

ପ୍ରଣବ ବଳବନ୍ତରାୟ ସେଇ ଗାଁ କୁ ଯିବା ପୂର୍ବରୁ ଜିଲ୍ଲା ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ଦୁର୍ଭାଗ୍ୟର କଥା ପୋଲିସ ସୁରକ୍ଷା ଦେଲା ନାହିଁ । ପୋଲିସ ଉପସ୍ଥିତିରେ ଘଟଣା ଘଟିଥିଲା ଏବଂ ସେହି ମାରଣାସ୍ତ୍ର ପରେ ପୋଲିସ ନେଇକି ଯାଇଥିଲା। ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳାର ଚରମ ଅବଗତି ଘଟିଛି। ଓଡ଼ିଶା ପୋଲିସର ଦୋମୁହାଁ ନୀତି। ପୋଲିସ ଡିଜିଙ୍କ ଅନ୍ତରାତ୍ମା ଶୋଇପଡିଛି ତାକୁ ଜଗେଇବ ବିଜେଡି।

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉଛି ରଙ୍ଗ ପରିବର୍ତ୍ତନ ସରକାର । ବର୍ତ୍ତମାନର ବିଧାୟକ କହିଲେ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉଛି। କିନ୍ତୁ ଫଟୋ ଓ ଭିଡିଓ ସ୍ପଷ୍ଟ କରୁଛି ସେମାନେ ବିଜେପିର। ଗଣ୍ଡଗୋଳରେ ଯେଉଁମାନେ ବି ସାମିଲ ଅଛନ୍ତି ସେମାନେ ସବୁ ବିଧାୟକଙ୍କ ସମର୍ଥକ ଓ ପ୍ରଶଂସକ। ଯାଜପୁର ଖଣି ମାଫିଆଙ୍କ ସହିତ ଜିଲ୍ଲା ପୋଲିସ ମିଶି ଅରାଜକତା ବଢୁଛି। ପୋଲିସ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରିଛି ହେଲେ ସେମାନଙ୍କୁ ଗିରଫ କରୁନାହାନ୍ତି। ଯାଜପୁର ପୋଲିସ ଉପରେ ମୋର ବିଶ୍ବାସ ନାହିଁ ବୋଲି ସେ କହିଛନ୍ତି।  

ଯେବେଠାରୁ ବିଜେପି ସରକାର ଆସିଛି ସେବେଠାରୁ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ପ୍ରତ୍ୟେକ ଦିନ ଗ୍ୟାଙ୍ଗ ରେପ୍ ସହିତ ହତ୍ୟା ଘଟଣା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ସେ ବିଧାୟକଙ୍କ ସହିତ କ୍ରିକେଟ ଖେଳୁଛନ୍ତି ତେଣୁ ସିଏ ସାହସ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ତୁରନ୍ତ ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ଓ ଯିଏ ପଛରୁ ଉସୁକାଉଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ହିମାଂଶୁ ସାହୁ ସ୍ଵାଧୀନ ବିଧାୟକ କିନ୍ତୁ ତାଙ୍କୁ ପାଇଲଟ ଗାଡ଼ି ଦିଆଯାଇଛି ଯାହାର ସିଏ ଅପବ୍ୟବହାର କରି ଗୁଣ୍ଡରାଜ କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତାଙ୍କର ସେହି ପାଇଲଟ ଗାଡ଼ି ଅବ୍ୟାହୃତ କରାଯାଉ। ନହେଲେ ଆଗକୁ ବିଜେଡି ଏହାକୁ ବରଦାସ୍ତ କରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.