ଚଣ୍ଡିଖୋଲ ୧୯।୦୪ : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ପୀଠରେ ଫୁଟିଲା ଗୁଳି । ମହାବିନାୟକ ପୀଠକୁ ଏକ ବରଯାତ୍ରୀ ଆସୁଥିବା ବେଳେ ଫୁଟିଥିଲା ଗୁଳି । ଯେଉଁଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଥିଲା । ଗାଡ଼ି ସାଇଡ୍ ମରାକୁ ନେଇ ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଯାଜପୁର ବଡ଼ଚଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ବଡ଼ଚଣା ପୋଲିସ ଘଟଣାର ତଦନ୍ତ କରି ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଖବର ଅନୁଯାୟୀ, ଶୁକ୍ରବାର ମହାବିନାୟକ ଶୈବ ପୀଠରେ ଏକ ବାହାଘର ଚାଲୁଥିଲା । ଏହି ସମୟରେ ବାଜବାଟିରୁ ବରଯାତ୍ରୀ ଆସି ପହଞ୍ଚିଥିଲେ । ସେହି ଅଞ୍ଚଳରେ ଆଉ ଏକ ବିବାହ ହେଉଥିଲା । ତେବେ ଆସିବା ବେଳେ ଗାଡ଼ି ସାଇଡ୍ ମରାକୁ ନେଇ ଉଭୟ ବରଯାତ୍ରୀ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକି ପରେ ଉଗ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ସହ ଫାଙ୍କା ଗୁଳିଚାଳନା ମଧ୍ୟ ହୋଇଥିଲା । ତେବେ ଏହି ମାରପିଟ୍ରେ କିଛି ଲୋକେ ଗୁରୁତର ହୋଇଥିଲେ । ଏନେଇ ଖବର ପାଇବା ପରେ ବଡ଼ଚଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରୁ ଏକ ଖୋକା ମଧ୍ୟ ଜବତ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ଘଟଣାରେ ଆରୁହା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନା ଓ ପ୍ରଶାନ୍ତ ସାମଲଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।