ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀଙ୍କୁ ଗିରଫ କଲା ଭିଜିଲାନ୍ସ, ଠାବ ହୋଇଥିଲା ଅମାପ ସମ୍ପତ୍ତି

Published By : Prameya-News7 Bureau | April 17, 2025 IST

ଭୁବନେଶ୍ବର ୧୭ଗିରଫ ହେଲେ ଅନୁଗୁଳ ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ AEEଙ୍କର ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଗୋଟିଏ ଦ୍ବିମହଲା କୋଠା, ୨୨ଟି ଦାମୀ ପ୍ଲଟ ଠାବ ସହ କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ଓ ନଗଦ ୨୪ ଲକ୍ଷ ଟଙ୍କା ମିଳିଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ଚଢ଼ାଉ ବେଳେ ଢେଙ୍କାନାଳ ପୌରାଞ୍ଚଳ ୱାର୍ଡ-୧୫ ଗାୟତ୍ରୀନଗର ସ୍ଥିତ ୫ ହଜାର ବର୍ଗଫୁଟର ଦ୍ୱିତଳ କୋଠା, ୨୨ଟି ବାସୋପଯୋଗୀ ମୂଲ୍ୟବାନ ପ୍ଲଟ୍‌,  କୋଟିଏ ୧୬ ଲକ୍ଷ ୬୬ ହଜାର ଟଙ୍କାର ବ୍ୟାଙ୍କ,  ବୀମା ଓ ଡାକ ଜମା, ୩୫୦ ଗ୍ରାମ୍‌ର ସୁନାଗହଣା, ଜୁନାଗଡ଼ରେ ରହୁଥିବା ଡାକ୍ତର ଜ୍ୱାଇଁଙ୍କ ଘରୁ ନଗଦ ୨୩ ଲକ୍ଷ ୯୫ ହଜାର ଟଙ୍କା, ଦୁଇଟି କାର୍‌ ଏବଂ ୧୭ ଲକ୍ଷରୁ ଅଧିକ ମୂଲ୍ୟର ଆସବାବ ଭିଜିଲାନ୍ସ ଠାବ କରିଛି । ପ୍ଲଟ୍‌ଗୁଡ଼ିକର ମୂଲ୍ୟ  ୬୦ ଲକ୍ଷ ବୋଲି ଆକଳନ କରାଯାଇଥିଲେ ମଧ୍ୟ  ଅପେକ୍ଷାକୃତ କମ୍‌ ମୂଲ୍ୟରେ ପଞ୍ଜିକୃତ ହୋଇଥିବାରୁ  ଭିଜିଲାନ୍‌ସ ଏହାର ପ୍ରକୃତ ମୂଲ୍ୟ ଅନୁଧ୍ୟାନ କରୁଛି । 

ବୁଧବାର ଭୋର୍‌ରେ ରାମଚନ୍ଦ୍ର ଆଠମଲ୍ଲିକ ଯିବାକୁ  ପ୍ରସ୍ତୁତ ହେଉଥିବା ବେଳେ ଢେଙ୍କାନାଳ ଗାୟତ୍ରୀନଗର ସ୍ଥିତ ବାସଭବନରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍‌ । ଗୋଟିଏ ଟିମ୍‌ ଯାଞ୍ଚ ଚଳାଇଥିବା ବେଳେ ଅନ୍ୟ ଏକ ଟିମ୍‌  ରାମଚନ୍ଦ୍ରଙ୍କୁ ସାଥୀରେ ନେଇ ଆଠମଲ୍ଲିକ ଯାଇଥିଲା । ଆଠମଲ୍ଲିକ ଟାଉନ୍‌ ସ୍ଥିତ ସରକାରୀ ବାସଭବନ,  କାର୍ଯ୍ୟାଳୟ, ଢେଙ୍କାନାଳ ସଦର ବ୍ଲକ୍‌ ବଣସିଂହ ଗ୍ରାମସ୍ଥିତ   ପୈତୃକ ଘର, କଳାହାଣ୍ଡି ଜୁନାଗଡ଼ ସ୍ଥିତ ତାଙ୍କ ଡାକ୍ତର ଜ୍ୱାଇଁଙ୍କ ବାସଭବନ, ଭବାନୀପାଟଣା ସ୍ଥିତ ସାନ ଜ୍ୱାଇଁଙ୍କ ବାସଭବନ, ଗଁଦିଆ ବ୍ଲକ୍‌ କରମୂଳ ସ୍ଥିତ ସମ୍ପର୍କୀୟଙ୍କ ଘର, ବାରଙ୍ଗ ତ୍ରିଶୁଳିଆ ସ୍ଥିତ ନିର୍ମାଣଧୀନ କୋଠା ଉପରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଜ୍ୱାଇଁ ଡା. ତପନ କୁମାର ତ୍ରିପାଠୀ ଜୁନାଗଡ଼ ସିଏଚ୍‌ସିରେ  ମେଡିକାଲ ଅଫିସର୍‌ ଅଛନ୍ତି । ତାଙ୍କ ଘରୁ ମିଳିଥିବା  ବିପୁଳ ପରିମାଣର ନଗଦ ଅର୍ଥ ଉତ୍ସ ସମ୍ପର୍କରେ ଡା.  ତ୍ରିପାଠୀ ଠିକ୍‌ ତଥ୍ୟ ଦେଇ ନ ପାରିବାରୁ ଭିଜିଲାନ୍ସ  ଟଙ୍କା ଜବତ କରିଛି । 

ଓଡ଼ିଶା   ଭିଜିଲାନ୍ସର ମୋଟ୍ ୮ଟି ଟିମ୍‌ ଚଢ଼ଉ କରିଥିବା ବେଳେ ୭ ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର ଓ ଅନ୍ୟ  କର୍ମଚାରୀ ସାମିଲ ହୋଇଥିଲେ । ରାମଚନ୍ଦ୍ରଙ୍କୁ ଭିଜିଲାନ୍ସ  ବିଭାଗ ହେପାଜତକୁ ନେଇ ପଚରାଉଚରା କରିଥିଲା। ଆଜି ତାଙ୍କୁ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲଣ କରାଯିବା ।

ରାମଚନ୍ଦ୍ର ଶତପଥୀ ୧୯୮୯ରୁ କନିଷ୍ଠ ଯନ୍ତ୍ରୀ  ଭାବେ ସରକାରୀ ଚାକିରିରେ ଯୋଗଦାନ କରିଥିଲେ ।  ୨୦୨୦ ପର୍ଯ୍ୟନ୍ତ ସେ ମାଲକାନଗିରି, କେନ୍ଦ୍ରାପଡ଼ା,  ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ  କାର୍ଯ୍ୟ କରିଛନ୍ତି । ୨୦୨୦ରେ ସେ ସହକାରୀ ଯନ୍ତ୍ରୀ  ଭାବେ ପଦୋନ୍ନତି ପାଇ କଣିହାଁ ବ୍ଲକ୍‌ରେ କାର୍ଯ୍ୟ  କରିଥିଲେ । ୨୦୨୨ରେ ସହକାରୀ ନିର୍ବାହୀ ଯନ୍ତ୍ରୀ  ଭାବେ ଆଠମଲ୍ଲିକ ବ୍ଲକ୍‌ରେ ଯୋଗ ଦେଇଥିଲେ ।

You Can Read:

ନବମ ଥର ପାଇଁ ବିଜେଡିର ମଙ୍ଗ ଧରିବେ ନବୀନ : ସଭାପତି ଭାବେ ନିର୍ବାଚିତ, ୧୯ରେ ବିଧିବଦ୍ଧ ଘୋଷଣା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.