ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ଜିତିଲେ ସୁଦର୍ଶନ ପଟ୍ଟନାୟକ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 13, 2024 IST

ଭୁବନେଶ୍ୱର ୧୩।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା ରଥ ନିର୍ମାଣ କରି ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଋଷିଆର ସାଂସ୍କୃତିକ ରାଜଧାନୀ ସେଣ୍ଟ  ପିଟର୍ସବର୍ଗ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଆନ୍‌ସିପ୍‌-୨୦୨୪ରେ ବିଜୟୀ ହୋଇ ଗୋଲ୍ଡେନ୍‌ ସ୍ୟାଣ୍ଡ୍‌ ମାଷ୍ଟର୍ସ ଆୱାର୍ଡ ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି  ସୁଦର୍ଶନ ପଟ୍ଟନାୟକ । ଆଇକନିକ୍‌ ପିଟର୍‌ ଆଣ୍ଡ୍‌ ପଲ୍‌ ଫୋଟ୍‌  ସମ୍ମୁଖରେ ୧୨ ଫୁଟ ଉଚ୍ଚ ବାଲୁକା କଳାରେ ସେ ରଥାରୁଢ଼  ଶ୍ରୀଜଗନ୍ନାଥ ଓ ଭକ୍ତ ବଳରାମ ଦାସଙ୍କୁ ପ୍ରଦର୍ଶିତ  କରିଥିଲେ । ଜୁଲାଇ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚାମ୍ପିଆନ୍‌ସିପ୍‌ର ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ବାଲୁକାକଳାର ୨୧ ଜଣ ମାଷ୍ଟର୍‌ ଆର୍ଟିଷ୍ଟ ଅଂଶଗ୍ରହଣ  କରିଥିଲେ । ଭାରତରୁ ଶ୍ରୀ ପଟ୍ଟନାୟକ ଭାଗ ନେଇଥିଲେ । 

ପ୍ରତିଯୋଗିତାର ବିଷୟ ଇତିହାସ, ପୁରାଣ ଓ ପରୀ କାହାଣୀ ଉପରେ ଆଧାରିତ ଥିଲା । ପୁରସ୍କାର ପାଇବା ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ବିଦେଶ ମାଟିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଓ ତାଙ୍କ କାହାଣୀକୁ ନେଇ ବାଲୁକା କଳା ପ୍ରଦର୍ଶନ କରିବା ସ୍ୱପ୍ନ ଥିଲା । ଯାହା ପୂରା ହୋଇଛି ଆଉ ସେଥିପାଇଁ ଏତେ ବଡ଼ ପୁରସ୍କାର ମିଳିଥିବାରୁ ଆହୁରି ଖୁସି ଦେଉଛି ।’  ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିଭା ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ଦେଇଥିବା ବେଳେ ସାରା ଓଡ଼ିଶାକୁ ଗର୍ବିତ କରିଛି ।

You Can Read:

ପାଟଦର୍ହା ଘାଟିରେ ୫୦ଫୁଟ ତଳକୁ ଖସିଲା ବାଇକ୍, ଚାଲିଗଲା ଆରୋହୀଙ୍କ ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.