ଭୁବନେଶ୍ୱର ୧୪।୦୧ : ଡମଣା ଛକରେ ପୁଣି ଅଘଟଣ । ସୋମବାର ଦିନ ଡମଣା ଛକରେ ସିରିଜ୍ ଦୁର୍ଘଟଣା ଘଟିଥିବା ବେଳେ ମଙ୍ଗଳବାର ସେହି ଡମଣା ଛକରେ ବିଏମ୍ସି ସଫେଇ ଗାଡିରେ ନିଆଁ ଲାଗିଯାଇଛି । ରାସ୍ତାରୁ ବାଲି ସଫା କରିବା ବେଳେ ହଠାତ୍ ଗାଡିରେ ଲାଗିଯାଇଥିଲା ନିଆଁ ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ ଏକ ବିଏମ୍ସି ସଫେଇ ଗାଡି ରାସ୍ତା ସଫା କରୁଥିଲା । ଏହି ସମୟରେ ସଫେଇ ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ ଗାଡିଟି ହୁତୁହୁତୁ ହୋଇ ଜଳିଥିଲା । ଗାଡିଟି ପୁରା ପୋଡି ପାଉଁଶ ହୋଇଯାଇଛି। ଏପିରିକି ୧୫ ଫୁଟ ଉପରକୁ ଉଠିଥିଲା କଳାଧୂଆଁ। ମୋବିଲ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ସେପଟେ ଗାଡିରେ ନିଆଁ ଲାଗିଥିବା ଖବର ପାଇ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସଫେଇ ଗାଡ଼ିକୁ ଫୋମ ସାହାର୍ଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମ କର୍ମଚାରୀ। ଅଗ୍ନିକାଣ୍ଡ ପରେ ଡମଣା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଫଳରେ ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରୁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସୋମାବାର ଦିନ ମଧ୍ୟାହ୍ନ ସମୟରେ ଭୁବନେଶ୍ୱର ଡମାଣ ଛକ ନିକଟରେ ଯାଉଥିବା ବେଳେ ଜଣେ ସ୍କୁଟି ଚାଳକ ବ୍ରେକ୍ ମାରିଥିଲେ। ଯାହାଫଳରେ ପଛରୁ ଆସୁଥିବା କାର୍ ଚାଳକ ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରିଥିଲେ। ଏପିରିକି ତିନୋଟି କାର୍ ପଛକୁ ପଛ ପିଟି ହୋଇଥିଲେ । ଯେଉଁଥିରେ ପଛ ଦୁଇଟି କାର୍ର ବୋନେଟ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି। ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କିଛି ସମୟ ପାଇଁ ରାସ୍ତାରେ ଯିବା ଆସିବା ଠପ୍ ରହିଥିଲା।