ନୂଆଦିଲ୍ଲୀ ୨୨/୦୭: କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ? ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଚର୍ଚ୍ଚା ଜୋର୍ ଧରିଛି । ନୂତନ ଉପରାଷ୍ଟ୍ରପତିଙ୍କ ନାଁକୁ ନେଇ ଆରମ୍ଭ ହୋଇଛି କସରତ। ଏହାରି ଭିତରେ ବିହାରରୁ ଉପରାଷ୍ଟ୍ରପତି ପଦ ନେଇ ଦାବି ଉଠିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଉପରାଷ୍ଟ୍ରପତି କରିବାକୁ ଦାବି ଉଠିଛି । ଖାସ୍ କରି ବିଜେପି ବିଧାୟକ ହରିଭୂଷଣ ଠାକୁର ବାଚୌଲ ଉଠାଇଛନ୍ତି ଦାବି।
ବିଜେପି ବିଧାୟକଙ୍କ ଏହି ଦାବି ପରେ ରାଜନୈତିକ ଚର୍ଚ୍ଚା ବଢିବା ନିଶ୍ଚିତ। କାରଣ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏପରି ପରିସ୍ଥିତିରେ, ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଉପରାଷ୍ଟ୍ରପତି କରିବା ଦାବିରୁ ଅନେକ ଅର୍ଥ ବାହାର କରାଯାଉଛି । ତଥାପି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଆସିନାହିଁ।
ବିଜେପି ବିଧାୟକ ହରିଭୂଷଣ ଠାକୁର ବାଚୌଲ କହିଛନ୍ତି ଯେ ଯଦି ନୀତିଶ କୁମାରଙ୍କୁ ଉପରାଷ୍ଟ୍ରପତି କରାଯାଏ, ତେବେ ଏହାଠାରୁ ଭଲ ଆଉ କ’ଣ ହୋଇପାରେ। ବିହାର ପାଇଁ ଏହା ଗର୍ବର ବିଷୟ ହେବ। ବିହାର ବିଧାନସଭା ଅଧିବେଶନରେ ଯୋଗଦେବା ପୂର୍ବରୁ ବିଜେପି ବିଧାୟକ ଏହା କହିଛନ୍ତି। ନୀତିଶଙ୍କୁ ନେଇ ପୂର୍ବରୁ ମଧ୍ୟ ଏପରି ଦାବି କରାଯାଇଛି ।
ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ନେଇ ସମୟ ସମୟରେ ଅନେକ କଳ୍ପନାଜଳ୍ପନା ଓ ଦାବି ହୋଇଛି । କିଛି ମାସ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ନୀତିଶ କୁମାରଙ୍କୁ ଦେଶର ଉପପ୍ରଧାନମନ୍ତ୍ରୀ ହେବାକୁ ଦାବି କରିଥିଲେ । ସେହି ସମୟରେ ମଧ୍ୟ ଚୌବେଙ୍କ ଏହି ବୟାନରୁ ଅନେକ ଅର୍ଥ ବାହାର କରାଯାଇଥିଲା । ତଥାପି, ମୁଖ୍ୟମନ୍ତ୍ରୀ ନୀତିଶ ଏଥିରେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ । ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ପୂର୍ବରୁ କହିସାରିଛି ଯେ ଏହା ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ।