ଚାଲି ଚାଲି ୫ କିଲୋମିଟର ସ୍କୁଲ ଯାତ୍ରା: IAS ଚାକିରି ପ୍ରତ୍ୟାଖ୍ୟାନ, ୩୫ ବର୍ଷରେ କୀର୍ତ୍ତିମାନ

Published By : Prameya-News7 Bureau | July 22, 2025 IST

ନୂଆଦିଲ୍ଲୀ ୨୨/୦୭: ଅଧିବେଶନର ପ୍ରଥମ ଦିନରେ ଇସ୍ତଫା । ଉପରାଷ୍ଟ୍ରପତି ପଦ ଛାଡିଥିଲେ ଜଗଦୀପ ଧନଖଡ଼ ।  ହଠାତ୍‌ ଇସ୍ତଫା ପରେ ଜୋର ଧରିଛି ରାଜନୀତି । ଧନଖଡ଼ଙ୍କ ଅଚାନକ ନିଷ୍ପତ୍ତିରେ ତାଟକା ବିରୋଧୀ । ଏବେ ତାଙ୍କ ପରେ କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ତାକୁ ନେଇ ଚର୍ଚ୍ଚା । ତେବେ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଓହରିଛନ୍ତି ଧନଖଡ଼ । ବହୁତ କମ୍ ଲୋକ ଜାଣନ୍ତି ଯେ ଜଗଦୀପଙ୍କ କ୍ୟାରିୟର ଜୀବନୀ । ସିଭିଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରତ୍ଯାଖ୍ୟାନ କରିଥିଲେ IAS ଚାକିରି । ଆଉ ଓକିଲାତିକୁ କରିଥିଲେ ପେଶା । 

୧୯୫୧ ମେ’ ୧୮ରେ ରାଜସ୍ଥାନ ଝୁନଝୁନୁ କିଥାନାରେ ଚାଷୀ ପରିବାରରେ ଧନଖଡଙ୍କ ଜନ୍ମ । ପିଲାଦିନ ପାଠପଢା ଥିଲା ବେଶ କଷ୍ଟସାଧ୍ୟ । ପ୍ରଥମରୁ ପଞ୍ଚମ ପାଠପଢା ଲାଗି ନଥିଲା ପ୍ରାଥମିକ ବିଦ୍ୟାଳୟ । ଦୁଇ ଅକ୍ଷର ପଢିବା ଲାଗି  ୪-୫ କିଲୋମିଟର ଦୂର ଘରଧାନାର ସରକାରୀ ବିଦ୍ୟାଳୟ ଯାଉଥିଲେ ସେ । ଖରା ବର୍ଷା ସବୁ ପାର୍ କରି ମନଲଗାଇ ପଢୁଥିଲେ ପାଠ । ପରେ ପୂର୍ଣ୍ଣ ଯୋଗ୍ୟତା ବୃତ୍ତିରେ ଚିତ୍ତୋରଗଡ଼ ସୈନିକ ସ୍କୁଲରେ ଏଣ୍ଟ୍ରି କରିଥିଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଭାରତୀୟ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ହୋଇଥିଲେ ଉତୀର୍ଣ୍ଣ । 

ରାଜସ୍ଥାନ ବାର୍‌ କାଉନସିଲଠାରୁ ଓକିଲାତି ଜୀବନରୁ ବୃତ୍ତିଗତ ଜୀବନ ଆରମ୍ଭ । ୧୯୭୯ରେ ରାଜସ୍ଥାନ ବାର କାଉନସିଲରେ ନାମ ଲେଖା । ପରେ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାକ୍ଟିସ୍ । ୧୯୯୦ରେ ମାତ୍ର ୩୫ ବର୍ଷ ବୟସରେ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସବୁଠାରୁ କମ୍ ବୟସ୍କ ସଭାପତି ହେଲେ। ସେହି ବର୍ଷ ହାସଲ କରିଥିଲେ ବରିଷ୍ଠ ଓକିଲଙ୍କ ପଦବୀ । ଆଇନଗତ ବିଶେଷଜ୍ଞତା ଜଗଦୀପ ଧନଖଡଙ୍କୁ ରାଜସ୍ଥାନରେ ଜାଟ ସମ୍ପ୍ରଦାୟକୁ OBC ମାନ୍ୟତା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ସାହାଯ୍ୟ କରିଥିଲା। 


ଉପରାଷ୍ଟ୍ରପତି ହେବା ପୂର୍ବରୁ ସେ ଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ । ଚନ୍ଦ୍ରଶେଖରଙ୍କ ସରକାରରେ ସେ କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଧନଖଡ଼ ବିଜେପି, କଂଗ୍ରେସ ଏବଂ ଜନତା ଦଳରେ ରାଜନୀତି କରିଛନ୍ତି । ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିଲେ । ୧୯୯୩ ରୁ ୧୯୯୮ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ସଦସ୍ୟ ଭାବେ ପ୍ରତିନିଧିତ୍ୱ କରିଥିଲେ । ୧୯୯୩ରେ ରାଜସ୍ଥାନର କିଶନଗଡ଼ ନିର୍ବାଚନମଣ୍ଡଳୀ ଆଜମେରରୁ ବିଧାୟକ ଭାବେ ନିର୍ବାଚିତ । ୩୦ ଜୁଲାଇ ୨୦୧୯ ରୁ ୧୮ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। 

୬ ଅଗଷ୍ଟ ୨୦୨୨, ଏନଡିଏ ପ୍ରାର୍ଥୀ ଭାବେ ଉପରାଷ୍ଟ୍ରପତି ନିର୍ବାଚନରେ ହାତେଇଥିଲେ ବିପୁଳ ବିଜୟ । ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ କରିଥିଲେ ପରାସ୍ତ । ୭୧୦ ଭୋଟରୁ ୫୨୮ ଭୋଟ ପାଇ ରେକର୍ଡ ବ୍ୟବଧାନରେ ନିର୍ବାଚନରେ ବିଜୟୀ ହୋଇଥିଲେ। ୧୯୯୨ ପରଠାରୁ ଉପରାଷ୍ଟ୍ରପତି ଦୌଡ଼ରେ ସର୍ବାଧିକ ବିଜୟ ବ୍ୟବଧାନ ଥିଲା। ଏବେ କାର୍ଯ୍ୟକାଳ ସରିବା ପୂର୍ବରୁ ସେ ଛାଡିଛନ୍ତି ପଦ । ସଂସଦର ପ୍ରଥମ ଦିନରେ ଦେଇଛନ୍ତି ଇସ୍ତଫା ।

ନିଜର ରୋକଠୋକ ବୟାନ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି ଧନଖଡ । ସୁପ୍ରିମକୋର୍ଟ ‘ସୁପର ସଂସଦ’ ହୋଇପାରିବନି ବୋଲି କହି ଚର୍ଚ୍ଚାକୁ ଆସିଥିଲେ । ଭାରତୀୟ ସମ୍ବିଧାନରେ ସଂସଦ ହିଁ ସର୍ବୋଚ୍ଚ, ଜନପ୍ରତିନିଧିଙ୍କ ଉପରେ କେହି ନାହିଁ କହିଥିଲେ । ଜନପ୍ରତିନିଧି ହିଁ ସମ୍ବିଧାନରେ ପରିବର୍ତ୍ତନ କରିପାରିବେ, ଅନ୍ୟ କେହି ନୁହେଁ । ଧନଖଡଙ୍କ ଏହି ବୟାନକୁ ନେଇ ଜୋରଦାର ବିରୋଧ କରିଥିଲେ ବିରୋଧୀ । ଅଦାଲତ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବନି ତଥା ସୁପର ସଂସଦ ଭଳି ଏବେ କାମ କରୁଛନ୍ତି ବିଚାରପତି ବୋଲି ସେ କହିଥିଲେ । 

ଆହୁରି ବି ବିଧେୟକକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ସମୟସୀମା ନିର୍ଦ୍ଧାରଣ ପାଇଁ କହିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଏଭଳି ପରାମର୍ଶକୁ ବିରୋଧ କରିଥିଲେ ଉପରାଷ୍ଟ୍ରପତି । ତାମିଲନାଡୁର ବିଲ୍‌କୁ ନେଇ ରାଜ୍ୟ ସରକାର-ରାଜ୍ୟପାଳଙ୍କ ମାମଲାରେ ସୁପ୍ରିମକୋର୍ଟକୁ ରାୟକୁ ନେଇ ଏଭଳି କହିଥିଲେ ଧନଖଡ । ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କୁ ଯାଞ୍ଚର ସାମ୍ନା କରିବା ଉଚିତ୍ । ବିଚାରପତିଙ୍କ ଉପରେ କାହିଁକି ଦେଶର ଆଇନ ଲାଗୁ ହେବ ନାହିଁ? କୌଣସି ସଂସ୍ଥା ସମ୍ବିଧାନରୁ ଉର୍ଦ୍ଧ୍ବରେ ନୁହନ୍ତି । ଦିନେ ଏମିତି ବୟାନ ଦେଉଥିବା ବ୍ୟକ୍ତି ଏବେ ପୁଣିଥରେ ଚର୍ଚ୍ଚାର ସର୍ବାଗ୍ରେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.