୫୦୦ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର, ମାଗଣା ବିଜୁଳି: ତେଲେଙ୍ଗାନାରେ କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ନଭେମ୍ବର ୩୦ରେ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ଏହାର ନିର୍ବାଚନୀ ଇସ୍ତାହାର ଜାରି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି।

କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ଏଲପିଜି ସିଲିଣ୍ଡର  ୫୦୦ ଟଙ୍କାରେ ଦେବାକୁ ବ୍ୟତୀତ ମାଗଣା ବିଜୁଳି, ଝିଅ ବିବାହରେ ସୁନା ଏବଂ ଅର୍ଥ ରାଶିର ସହାୟତା ଭଳି ପ୍ରତିଶୃତି ଦେଇଛି। ଏହି ସମୟରେ ମଲ୍ଲିକାର୍ଜୁନ ଖଡଗେ ତେଲେଙ୍ଗାନାକୁ ଭିନ୍ନ ରାଜ୍ୟ କରିବାରେ କଂଗ୍ରେସ ଏବଂ ସୋନିଆ ଗାନ୍ଧୀଙ୍କ ଭୂମିକା କଥା ମଧ୍ୟ କହିଛନ୍ତି। ଖଡଗେ କହିଛନ୍ତି କର୍ଣ୍ଣାଟକରେ ୫ ଗ୍ୟାରେଣ୍ଟି ଭଳି ତେଲେଙ୍ଗାନା ପାଇଁ ମଧ୍ୟ ୬ ଗ୍ୟାରେଣ୍ଟି ରଖିଛନ୍ତି।

ଏଭଳି ରହିଛି ବଡ଼ ପ୍ରତିଶ୍ରୁତି:

କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଦେବାକୁ ଘୋଷଣା କରିଛି। ଏହା ସହ ମହିଳାଙ୍କୁ ମାଗଣାରେ ବସ୍‌ ଯାତ୍ରା, ସତ୍ତାକୁ ଆସିଲେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ଇନ୍ଦିରାମ୍ମା ଉପହାର ଯୋଜନାରେ ହିନ୍ଦୁ ଝିଅଙ୍କୁ ବିବାହ ସମୟରେ ୧ ଲକ୍ଷ ଟଙ୍କା ଓ ୧୦ ଗ୍ରାମ ସୁନାର ସହାୟତା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଝିଅ ବିବାହ ପାଇଁ ୧.୬ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ, ସକାଳ ୭ଟାରୁ ମତଦାନ ଜାରି

ଆହୁରି ମଧ୍ୟ ଉଚ୍ଚ ଶିକ୍ଷା ପଢ଼ୁଥିବା ସବୁ ଝିଅଙ୍କୁ ମାଗଣାରେ ସ୍କୁଟି, ମୁଖ୍ୟମନ୍ତ୍ରୀ କ୍ୟାମ୍ପ ଅଫିସ୍‌ରେ ପ୍ରତିଦିନ ପ୍ରଜା ଦରବାର, ତେଲେଙ୍ଗାନା ଆନ୍ଦୋଳନର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟର ଶହିଦଙ୍କ ମାତା-ପିତା କିମ୍ବା ପତ୍ନୀଙ୍କୁ ମାସିକ ୨୫ ହଜାରର ପେନସନ ଏବଂ ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି, ଚାଷୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧରେ ମାଗଣା ଫସଲ ଋଣ ଏବଂ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଜୁଳି ଯୋଗାଇଦିଆଯିବା ଭଳି ଅନେକ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.