ନୂଆ ପିସିସି ପରେ ଆକ୍ସନରେ ରାଜ୍ୟ ସଂଗଠନ, ୧୮ରୁ କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା

Published By : Prameya-News7 Bureau | February 16, 2025 IST

ଭୁବନେଶ୍ୱର ୧୬।୦୨ : କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା । ଫେବୃଆରୀ ୧୮ ତାରିଖରୁ ଭୁବନେଶ୍ୱରରୁ ଆରମ୍ଭ ହେବ ଏହି ପଦଯାତ୍ରା । ସଂକଳ୍ପ ପଦଯାତ୍ରା ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂକଳ୍ପ ପଦଯାତ୍ରା ଭୁବନେଶ୍ୱର ବିମାନବନ୍ଦର ଠାରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ । ଏହାପରେ ପୁଣି ଲିଙ୍ଗୁପୁରୁରୁ ପିପିଲି ପର୍ଯ୍ୟନ୍ତ ପଦଯାତ୍ରା ଚାଲିବା ପରେ ପିପିଲିରେ ରାତ୍ରିଯାପନ କରିବେ ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ଅନ୍ୟ କଂଗ୍ରେସ ନେତା । ୧୯ ତାରିଖରେ ପୁନର୍ବାର ପଦଯାତ୍ରା ଆରମ୍ଭ ହୋଇ ତେଇଶିପୁର ପର୍ଯ୍ୟନ୍ତ ଯିବ । ସେଠାରେ ମଧ୍ୟାହ୍ନଭୋଜନ ପରେ ଚନ୍ଦନପୁର ଯାଏଁ ହେବ ପଦଯାତ୍ରା । ସେଠାରେ ରାତ୍ରୀଯାପନ କରିବେ କଂଗ୍ରେସ ନେତା । 

ସେହିପରି ୨୦ ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟମଙ୍ଗଳବାରେ ମଧ୍ୟାହ୍ନଭୋଜନ କରିବେ । ସେଠାରେ କିଛି ସମୟ ବିଶ୍ରାମ ପରେ ଅପରାହ୍ନରେ ପୁରୀ ଅଭିମୁଖେ ଗସ୍ତ କରିବେ । ପୁରୀରେ ମହାପ୍ରଭୁଙ୍କ   ଦର୍ଶନ କରିବେ ନବ ନିଯୁକ୍ତ ପିସିସି ସଭାପତି ଏବଂ କଂଗ୍ରେସ କର୍ମୀ ନେତା । ତେବେ ସଫଳ ଓଡିଶାର ରୂପାୟନ ସହ ଓଡିଶାର ଉନ୍ନତି କାମନା କରିବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ । ଓଡିଶାର ସଂସ୍କୃତି ଏବଂ ଐତିହକୁ ନେଇ ଆଧ୍ୟାତ୍ମିକ ପରିବେଶ ଭିତରେ ଏହି ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହେବ । ଓଡିଶାବାସୀଙ୍କ ସହ କଂଗ୍ରେସ ନେତା ଏବଂ କର୍ମୀମାନଙ୍କୁ ଏହି ଯାତ୍ରାରେ ଯୋଡି ହେବା ପାଇଁ ଅନୁରୋଧ କରିଛନ୍ତି ନୂତନ ପିସିସି ସଭାପତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.