ନୂଆଦିଲ୍ଲୀ ୨୦।୨: ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ଅରବିନ୍ଦ କେଜରିୱାଲ ଓ ତାଙ୍କ ଆମ ଆଦମୀ ପାର୍ଟି (ଆପ)ର ପରାଜୟ ସମସ୍ତଙ୍କୁ ଚକିତ କରିଛି। ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ହାସଲ କରିଥିବା ଆପ ୨୦୨୫ ନିର୍ବାଚନରେ ହାରିଯିବ କେହି କଳ୍ପନା ମଧ୍ୟ କରିନଥିଲେ। ଏଥି ମଧ୍ୟରେ ଆପର ଜନୈକ ପୁରୁଣା କାର୍ଯ୍ୟକର୍ତ୍ତା ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସହ ଆଲୋଚନାରେ ସେ କହିଛନ୍ତି ଯେ ଆପକୁ ପୂର୍ବରୁ ଜଣାଥିଲା ନିର୍ବାଚନରେ ହାରୁଛି ବୋଲି।
ସେ କହିଛନ୍ତି ଆପ ସୁପ୍ରିମୋ ଅରବିନ୍ଦ କେଜରିୱାଲ ମଧ୍ୟ ଜାଣିଥିଲେ ପାର୍ଟି ନିର୍ବାଚନରେ ହାରିବ। ଏଣୁ ସେ ଭୋଟ ଗ୍ରହଣ ପରଦିନଠାରୁ ଗୋଟିଏ ପରେ ଗୋଟିଏ ମିଟିଂ ନେବା ଆରମ୍ଭ କରିଦେଇଥିଲେ। ଆପ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ପାର୍ଟିର ଦୁର୍ବଳ ସଙ୍ଗଠନ ହାରିବାର ମୁଖ୍ୟ କାରଣ। ଆମେ ଠିକ୍ ଭାବେ ଜନତାଙ୍କ ସହ ଯୋଗାଯୋଗ ରକ୍ଷା କରିପାରୁନଥିଲୁ। ଏହି ନିର୍ବାଚନରେ ପାର୍ଟିର କାର୍ଯ୍ୟକର୍ତ୍ତା ଅନ୍ୟ ଦଳକୁ ଚାଲିଯାଇଥିଲେ। ଅନେକ କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରଚାର କରିବା ବଦଳେ ଘରେ ବସିଯାଇଥିଲେ। ଆମେ ଆପ ସରକରର ଯୋଜନା ଠିକ୍ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇ ପାରିନଥିଲୁ।
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ହୋଇଛି। ଫଲରେ ପାର୍ଟି ୧୦ ବର୍ଷ ପୁରୁଣା କ୍ଷମତା ହରାଇଛି। ଭାରତୀୟ ଜନତା ପାର୍ଟି ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିଛି। ନିର୍ବାଚନରେ ବିଜେପିକୁ ୭୦ରୁ ୪୮ଟି ଆସନ ମିଳିଛି। ଏଥିରେ ଶାସକ ଆମ ଆଦମୀ ପାର୍ଟିକୁ ୨୨ଟି ଆସନ ମିଳିଛି।