ଭୁବନ ୨୧।୬: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ଆତଙ୍କ ବଢିଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଡାଇରିଆ ସ୍ଥିତି ବେହାଲ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ରେ ୧୦୦ରୁ ଉର୍ଦ୍ଧ୍ବ ଡାଇରିଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଜଣ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ତେବେ ଶନିବାର କାମାକ୍ଷାନଗର ଓ ଭୁବନର ଏନ୍ଏସିର କଂଗ୍ରେସର ଏକ ୮ ଜଣିଆ ଟିମ୍ ମେଡିକାଲରେ ପହଞ୍ଚି ରୋଗୀ ମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାସହ ଡାକ୍ତରଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଏହି ଟିମ୍ରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିପ୍ରବର ସାହୁ, ଯୁବ କଂଗ୍ରସ ସଭାପତି ବିନୋଦ ମହାରଣା ସାମିଲ ଥିଲେ ।
ସେପଟେ ଭୁବନ ବ୍ଲକରେ ଡାଇରିଆ ସଂକ୍ରମଣକୁ ଦମନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଭୁବନର ବିଭିନ୍ନ ହୋଟେଲରେ ଚଢାଉ କରାଯାଇଥିଲା । ପ୍ରଥମେ ଭୁବନ କାଳୀବଜାର ସ୍ଥିତ ପଞ୍ଚସଖା ହୋଟେଲରେ ଚଢାଉ କରି ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଚଢାଉ ବେଳେ ବାସି ଖାଦ୍ୟ ବୋଲି ପ୍ରମାଣିତ କରି ସମସ୍ତ ଖାଦ୍ୟକୁ ଜବତ କରି ହୋଟେଲକୁ ସିଲ୍ କରାଯାଇଥିଲା । ଏପରିକି ଭୁବନରେ ଚାରୋଟି ହୋଟେଲର ଖାଦ୍ୟ ଜବତ କରି ଅନିର୍ଦ୍ଧିଷ୍ଟ ସମୟ ପାଇଁ ହୋଟେଲ ଗୁଡିକୁ ସିଲ୍ କରାଯାଇଥିଲା ।
ଦୁଇଟି ହୋଟେଲକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିଲା । ଏହି ଚଢାଉରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିକାରିଣୀ ଲୋପାମୁଦ୍ରା ନାୟକ, ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଥାନା ଅଧିକାରୀ ଧିରେନ ସ୍ବାଇଁଙ୍କ ସମେତ ଭୁବନ NACର କର୍ମଚାରୀ ସାମିଲ ଥିଲେ ।
You Can Read: