ଭୁବନେଶ୍ଵର: ଆସନ୍ତାକାଲି ବାହାରିବ ନିର୍ବାଚନ ଫଳାଫଳ । ଯାହାକୁ ନେଇ ନେତାଙ୍କ ଛାତି ଏବେ ଧଡ଼ ଧଡ଼। କାହା ସପକ୍ଷରେ ଯିବ ଜନତା ଜନାର୍ଦ୍ଦନଙ୍କ ରାୟ । ଏହାକୁ ନେଇ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି-ବିଜେପି-କଂଗ୍ରେସ ଭିତରେ ଛନକା । ୧୦୦ ପ୍ଲସ୍ ଆସନ ଜିତି ଷଷ୍ଠ ଥର ପାଇଁ ସରକାର ଗଢ଼ିବା ଦମ୍ଭରେ ରହିଛି ବିଜେଡି । ସେପଟେ ଏଥର ଓଡ଼ିଶାରେ ୭୫ ପ୍ଲସ ଆସନ ଜିତି ଡବଲ ଇଞ୍ଜିନ୍ ସରକାର ଗଢ଼ିବାକୁ ଦାବି କରୁଛି ବିଜେପି । କଂଗ୍ରେସ ମଧ୍ୟ ବିଧାନସଭାରେ ଭଲ କରିବ ବୋଲି ଆଶା ବାନ୍ଧିଛି । ସେହିଭଳି ୨୧ ଲୋକସଭା ଆସନରୁ କାହା ଭାଗରେ କେତେ ପଡ଼ିବ ତାକୁ ନେଇ ମଧ୍ୟ ଧୁମ୍ ଅଙ୍କ କଷିଛନ୍ତି ତିନି ଦଳ । ହେଲେ ବିଭିନ୍ନ ନ୍ୟୁଜ୍ ଏଜେନ୍ସୀ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲକୁ ନେଇ ଟେନସନରେ ଅଛନ୍ତି ସବୁ ଦଳ ।
କାଲି ବାହାରିବ ନେତାଙ୍କ ପରୀକ୍ଷା ଫଳ । ସାମ୍ନାକୁ ଆସିବ ଓଡ଼ିଶାବାସୀଙ୍କ ରାୟ । ମଝିରେ ମାତ୍ର ଗୋଟିଏ ରାତିର ଅପେକ୍ଷା । ଫଳାଫଳ ସପକ୍ଷରେ ଯିବ ନା ବିପକ୍ଷରେ ଯିବ ତାକୁ ନେଇ ବିଜେଡି-ବିଜେପି ଓ କଂଗ୍ରେସ ମଧ୍ୟରେ ଛନକା । ଆଉ ଏହି ଛନକାକୁ ଅଧିକ ବଳ ଦେଇଛି ବିଭିନ୍ନ ନ୍ୟୁଜ୍ ଏଜେନ୍ସି ଦ୍ବାରା ସାମ୍ନାକୁ ଆସିଥିବା ଏକଜିଟ୍ ପୋଲ୍ ରେଜଲ୍ଟ । ଅବଶ୍ୟ ଏକଜାଟ୍ ପୋଲରେ ଏହା କେତେ ପ୍ରତିଫଳିତ ହେଉଛି ତାହା ତ ଆସନ୍ତାକାଲି ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଯିବ । ହେଲେ ୧୦୦ ପ୍ଲସ ଆସନ ଜିତି ଷଷ୍ଠ ଥର ପାଇଁ ସରକାର କରିବାକୁ ଦମ୍ଭ ଦେଖାଇଛି ବିଜେଡି । ବିଜେପି ମଧ୍ୟ କିଛି କମ୍ ଦମ୍ଭ ଦେଖାଇନି । ଏଥର ଓଡ଼ିଶାରେ ଲୋକେ ପରିବର୍ତ୍ତନ ପାଇଁ ଭୋଟ୍ କରିଛନ୍ତି ବୋଲି ଭାବୁଛି ବିଜେପି । ଏମିତିରେ ୭୫ପ୍ଲସ ଆସନ ଜିତି ଓଡ଼ିଶାରେ ଡବଲ ଇଂଜିନ୍ ସରକାର ପାଇଁ ଦାବି କରୁଛି ଦଳ । ସେପଟେ କଂଗ୍ରେସ ମଧ୍ୟ ବିଧାନସଭା ଆସନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି । ଭୋଟର ସେମାନଙ୍କ ରାୟ ଦେଇ ସାରିଛନ୍ତି । ଏବେ ଭଗବାନଙ୍କ ଭରସାରେ ନେତା ।
୨୧ ଲୋକସଭା କ୍ଷେତ୍ରରୁ ବିଜେଡି ୧୦ରୁ ୧୫ ଆସନ ଜିତିବା ନେଇ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ୧୫ରୁ ୧୭ ଆସନ ଜିତିବା ନେଇ ଦାବି କରିଛି । ସେପଟେ କଂଗ୍ରେସ ତା’ର କୋରାପୁଟଗଡ଼ ରକ୍ଷା ଦିଗରେ ସଫଳ ହେବ ବୋଲି ଆଶା ରଖିଛି । ଏମିତିରେ ଉଭୟ ବିଧାନସଭା ଓ ଲୋକସଭା ଆସନକୁ ନେଇ ବିଭିନ୍ନ ନ୍ୟୁଜ୍ ଏଜେନ୍ସୀ କରିଥିବା ଏକଜିଟ୍ ପୋଲ୍ରେ କେଉଁଠି ବିଜେଡି ଅଧିକ ଆସନ ପାଇବା ନେଇ ଆକଳନ କରାଯାଇଥିବା ବେଳେ ବିଜେପିର ଆସନ ବୃଦ୍ଧି ଅନୁମାନ କରାଯାଇଛି । କିନ୍ତୁ ସବୁଥିରେ କଂଗ୍ରେସର ଆସନ ସଂଖ୍ୟାକୁ ନେଇ ସେତେଟା ସନ୍ତୋଷଜନକ ସୂଚନା ଆସି ନାହିଁ ।
୨୦୧୯ରେ ବିଧାନସଭାରେ ୧୪୭ ଆସନରୁ ବିଜେଡି ୧୧୩ ଆସନ ଜିତିଥିବାବେଳେ ବିଜେପି ୨୩ ଏବଂ କଂଗ୍ରେସ ୯ ଟି ଆସନ ଅକ୍ତିଆର କରିଥିଲା । ସେହିପରି ଲୋକସଭାରେ ୨୧ ଟି ଆସନରୁ ବିଜେଡି ୧୨ ଟି ଆସନ ଜିତିଥିବାବେଳେ ବିଜେପି ୮ ଟି ଏବଂ କଂଗ୍ରେସ ୧ ଟି ଆସନରେ ଜିତିଥିଲା।