କୋଲକାତା ୨୩/୧୨: ବିବାହ ଦୁଇ ଆତ୍ମାର ମିଳନ । ଯୋଡିହୁଏ ନୁଆ ସଂପର୍କ । ନୁଆ ରାସ୍ତାରେ ଚାଲନ୍ତି ଦୁଇ ଲଭ୍ ବାର୍ଡ । ଆଉ ବିବାହକୁ ସ୍ୱତନ୍ତ୍ର କରିବାକୁ ଅନେକଙ୍କ ସ୍ୱପ୍ନ । ଅନେକଙ୍କ ପସନ୍ଦ ଡେଷ୍ଟିନେସନ ଓ୍ୱେଡିଂ । ସେ ବିଦେଶ ହେଉ ବା ଅନ୍ୟ କେଉଁଠି । ଏଥିପାଇଁ ଖର୍ଚ୍ଚ କରନ୍ତି କୋଟି କୋଟି ଟଙ୍କା । ବର-କନ୍ୟା ଉଭୟ ପକ୍ଷ କରିଥାନ୍ତି ଜୋରଦାର୍ ପ୍ରସ୍ତୁତି । କିନ୍ତୁ ଶସ୍ତାରେ ବିବାହ କରିବା ନୂଆ କଥା ନିଶ୍ଚୟ । ବିବାହରେ ଖର୍ଚ୍ଚ କଥା ଆପଣ ବି ହୋଇଯିବେ ତାଜୁବ୍ । କୋଲକାତାରେ ଦେଖିବାକୁ ମିଳିଛି ଏପରି ଅନନ୍ୟ ବିବାହ । ଆସନ୍ତୁ ଜାଣିବା ପୁରା ଘଟଣା ।
ମନର ଦେଶରେ ପ୍ରେମର ସହର । ପ୍ରେମର ସହରେ ଛୋଟ ଗୋଟେ ଘର । ସେହି ଛୋଟ ଘରେ ଲେଖା ଆମ ଦୁହିଁଙ୍କର ନାମ । ଗୋଟିଏ ତୁମର ଗୋଟିଏ ମୋହର । ଏହି ଗୀତ ହୁଏତ ଚଳଚ୍ଚିତ୍ରରେ ଦେଖିଥିବେ । କିନ୍ତୁ ଏଠି ଗୋଟେ ଦମ୍ପତ୍ତି ପୁରା ଫିଲ୍ମ ଷ୍ଟାଇଲରେ ଗଢିଛନ୍ତି ନୂଆ ଜୀବନ । ତା ପୁଣି କୋଲକାତର ଫେମସ ଟ୍ରାମରେ । ବିବାହର ରୀତିନୀତି ସବୁ କିଛି ହୋଇଥିଲା ଏହି ଗାଡିରେ । ହଳଦିଆ ରଙ୍ଗର ଟ୍ରାମକୁ ଗୋଲାପ ଏବଂ ଭେଲଭେଟରେ ସଜାଯାଇଥିଲା । ଗାଡିରେ ଲେଖାଯାଇଥିଲା ଜଷ୍ଟ ମ୍ୟାରେଡ୍ । ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ ଉଭୟ ପରିବାରର ମାତ୍ର ୨୫ ସଦସ୍ୟ । ଏଥିପାଇଁ ଖର୍ଚ୍ଚ ହୋଇଥିଲା ମାତ୍ର ୩,୫୪୦ ଟଙ୍କା । ଏବେ ଏହି ନିଆରା ବିବାହ ସମସ୍ତଙ୍କୁ କରିଛି ଆକୃଷ୍ଟ ।
ବିବାହକୁ ଏପରି କରିବା ପଛରେ ଥିଲା ଉଦ୍ଦେଶ୍ୟ । କାରଣ କୋଲକାତାରେ ଟ୍ରାମର ଇତିହାସ ବହୁତ ପୁରୁଣା । ୧୫୦ ବର୍ଷରୁ ଅଧିକ ସମୟ ଧରି ରାସ୍ତାରେ ଚାଲିଆସୁଛି ଟ୍ରାମ୍ । ଅବଶ୍ୟ, ବର୍ତ୍ତମାନ ଏହା ଇତିହାସ ପାଲଟିଯିବାକୁ ବସିଛି । ତେବେ ଟ୍ରାମ ସେବା ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କର୍ମଚାରୀମାନେ ଏମିତି ବିବାହ କରି ସୃଷ୍ଟି କରିଛନ୍ତି ନିଆରା ଉଦାହରଣ । ଟ୍ରାମ ଡିପୋର ଜଣେ କର୍ମଚାରୀ ତାଙ୍କ ଭାଇଙ୍କୁ ଟ୍ରମରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଜଣାଇବାକୁ ଚାହୁଁଥିଲେ ଯେ କୋଲକାତାରେ ଟ୍ରାମର ରହିଛି ଭବିଷ୍ୟତ । ଗତ ସପ୍ତାହରେ ଶନିବାର ସନ୍ଧ୍ୟାରେ କୋଲକାତା ରାସ୍ତାରେ ଏହି ଅନନ୍ୟ ବିବାହ ଦେଖିବାକୁ ମିଳିଥିଲା ।
ଫେବ୍ରୁଆରୀ ୨୪, ୧୮୭୩ରେ ଏହା ପ୍ରଥମ ଥର ପାଇଁ କୋଲକାତାର ଟ୍ରାକରେ ଚାଲିଥିଲା । ଅବଶ୍ୟ, ସେତେବେଳେ ଏହାକୁ ଟାଣିନେଉଥିଲେ ଘୋଡା । ପରେ ଏହା ଇଲେଟ୍ରୋନିକ ଭାବେ ଚାଲିଥିଲା । ଦିନେ କୋଲକାତା ରାସ୍ତାରେ ଚାୱୁଥିଲା ୪୫୦ରୁ ଅଧିକ ଟ୍ରାମ୍ । ଏବେ ଏହା କେବଳ ଆଠକୁ ଖସି ଆସିଛି। ଆଗକୁ ଏହାକୁ ବନ୍ଦ କରିବାକୁ ବି ଚାଲିଛି ପ୍ରସ୍ତୁତି । କୋଲକାତା ହାଇକୋର୍ଟରେ ଦାଖଲ ହୋଇଛି ପିଆଇଏଲ । ଏମିତି ସ୍ଥିତିରେ ଟ୍ରାମରେ ବିବାହ ଉଦାହରଣ ନିଶ୍ଚୟ ।