ବିନା ଅକ୍ସିଜେନରେ ୧୪ଟି ଗିରିଶୃଙ୍ଗ ଆରୋହଣ କରି ରଚିଥିଲେ ଇତିହାସ, ଏବେ ସମ୍ମାନୀତ ହେଲେ ସେରପା

Published By : Prameya-News7 Bureau | January 03, 2025 IST

କାଠମାଣ୍ଡୁ ୩।୧: ଜଣାଶୁଣା ନେପାଳୀ ପର୍ବତାରୋହୀ ମିଙ୍ଗମା ଜୀ ସେରପାଙ୍କୁ ଶୁକ୍ରବାର ସମ୍ମାନୀତ କରାଯାଇଛି। ସେ ଅତିରିକ୍ତ ଅକ୍ସିଜେନ ବ୍ୟବହାର ନ କରି ୮ ହଜାର ମିଟରରୁ ଅଧିକ ଉଚ୍ଚତାର ୧୪ଟି ଗିରଶୃଙ୍ଗ ଆରୋହଣ କରିବାରେ ପ୍ରଥମ ନେପାଳୀ ପର୍ବତାରୋହୀ ଭାବେ ଇତିହାସ ରଚିଥିଲେ। ୩୮ ବର୍ଷ ବୟଷ୍କ ମିଙ୍ଗମା ଗତ ଅକ୍ଟୋବରରେ ତିବ୍ବତର ଶିଶା ପଙ୍ଗମା (୮,୦୨୭ମିଟର ଉଚ୍ଚା) ଶୃଙ୍ଗକୁ ଅପରାହ୍ନ ପାଖାପାଖି ୪ଟା ୬ ମିନିଟରେ ପହଞ୍ଚିଥିଲେ ଓ ଅତିରିକ୍ତ ଅକ୍ସିଜେନ ଉପଯୋଗ ବିନା ୧୪ ଗିରିଶୃଙ୍ଗ ଆରୋହଣ କରିବାରେ ପ୍ରଥମ ନେପାଳୀ ଶେରପା ହୋଇପାରିଥିଲେ। 

ପର୍ଯ୍ୟଟନ, ସଂସ୍କୃତି ଓ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଅରୁଣ କୁମାର ଚୌଧୁରୀ ଶୁକ୍ରବାର କାଠମାଣ୍ଡୁରେ ନେପାଳ ପର୍ବତାରୋହଣ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମିଙ୍ଗମାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଡୋଲଖା ଜିଲ୍ଲା ରୋଲଭାଲିଂ ଗ୍ରାମୀଣ ନଗରପାଳିକାରେ ଜନ୍ମିତ ମିଙ୍ଗମା ୨୦୦୭ ମସିହାରେ ପ୍ରଥମ ଥର ବିଶ୍ୱର ସୁ ଉଚ୍ଚ ଗିରି ଶିଖର ଏଭରେଷ୍ଟ (୮,୪୮.୮୬ମିଟର)କୁ ପହଞ୍ଚିଥିଲେ ଓ ୪ ଅକ୍ଟୋବର ୨୦୨୪ରେ ମାଉଣ୍ଟ ଶିଶା ପଙ୍ଗମା (୮,୦୨ମିଟର) ଗିରିଶୃଙ୍ଗକୁ ଚଢି ତାଙ୍କ ମିସନ ପୁରା କରିଥିଲେ।  

ପେଷାରେ ଜଣେ ‘ମାଉଣ୍ଟେନ ଗାଇଡ’ ମିଙ୍ଗମା ଏ ପର୍ଯ୍ୟନ୍ତ ୬ ଥର ମାଉଣ୍ଟ ଏଭରେଷ୍ଟ ଚଢିସାରିଲେଣି। ସେ ନେପାଳରେ ପର୍ବତାରୋହଣ ଏଜେନ୍ସୀ ‘ଇମାଜିନ ନେପାଳ’ର ମାଲିକ ମଧ୍ୟ ଅଟନ୍ତି। ମିଙ୍ଗମା ଗଣମାଧ୍ୟମକୁ କହିଛନ୍ତି ଯେ ପାହାଡ ଦେଶ ନେପାଳର ନାଗରିକ ହୋଇଥିବାରୁ ମୋ ଦେଶର ଗୌରବ ବଢାଇବା ପାଇଁ ବିନା ଅକ୍ସିଜେନରେ ୧୪ଟି ଉଚ୍ଚ ଗିରିଶୃଙ୍ଗ ଚଢିବାକୁ ସାହାସ କରିଛି। ସେ ସରକାରଙ୍କୁ ବିପଦଜନକ ପରିସ୍ଥିତିରେ ପର୍ବତାରୋହୀଙ୍କୁ ବଞ୍ଚାଇବା ପାଇଁ ସୁବିଧା ସମ୍ପନ୍ନ ଏକ ସ୍ଥାୟୀ ଉଦ୍ଧାରକାରୀ ଦଳ ଗଠନ କରିବାକୁ ନିବେଦନ କରିଛନ୍ତି। ଏହା ଦ୍ୱାରା ଦେଶର ପର୍ବତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇ ପାରିବ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.