ଝାରସୁଗୁଡ଼ା ଏୟାରପୋର୍ଟରେ କ୍ରାଇମବ୍ରାଞ୍ଚ ଟିମ୍, ସେପଟେ ମୁଖ୍ୟ ଚିକିତ୍ସାଳୟ ସିଡିଏମ୍‌ଓଙ୍କ ସହ ୩ ଡାକ୍ତର ଏବଂ ନର୍ସଙ୍କ ବୟାନ ରେକର୍ଡ

Published By : Prameya-News7 Bureau | March 21, 2025 IST

ଝାରସୁଗୁଡ଼ା : କ୍ରାଇମବ୍ରାଞ୍ଚ ନା’ ସିବିଆଇ ? କିଏ କରିବ ନବ ଦାସ ହତ୍ୟା ଘଟଣାର ତଦନ୍ତ ? ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି CBI ତଦନ୍ତ ଦାବି କରିଛନ୍ତି ନବଙ୍କ ପରିବାର । ଆଉ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ ବୋଲି ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ବି ଘଟଣାର CBI ତଦନ୍ତ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । 

ସେପଟେ କିନ୍ତୁ ଲଗାତର ଚତୁର୍ଥ ଦିନରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ କରୁଛି ତନାଘନା । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ମଙ୍ଗଳବାର ଠାରୁ ବିଭିନ୍ନ ବ୍ୟକ୍ତିଙ୍କୁ ମାରାଥନ୍ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଚଳାଇଛି । ଗୁଳିମାଡ଼ ପରେ ନବ ଦାସଙ୍କୁ ନେଇଥିବା ବିମାନର ଲ୍ୟାଣ୍ଡିଂ ଏବଂ ଡିର୍ପାଚର ଡାଟା ସଂଗ୍ରହ କରିବ । ଏହାସହ ବିମାନବନ୍ଦର ଅଧିକାରୀମାନଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ଟିମ୍ ।

ଗୁରୁବାର ଦିନ କ୍ରାଇମ୍ ସ୍ପଟ୍ ଗାନ୍ଧୀ ଛକକୁ ଯାଇ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ୨ବର୍ଷ ତଳେ ଯେଉଁ ସ୍ଥାନରେ ନବ ଦାସଙ୍କୁ ଗୁଳି କରାଯାଇଥିଲା ସେହି ସ୍ଥାନକୁ ପୁଣି ଯାଇଥିଲେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ । ପ୍ରାୟ ୧୫ ମିନିଟ୍‌ ଧରି ସେମାନେ ଘଟଣାସ୍ଥଳରେ ରହି ଅନୁଧ୍ୟାନ କରିଥିଲେ । ସେହିଭଳି ଗାନ୍ଧୀ ଛକରେ ସେ ସମୟରେ ଗୋପାଳ ଦାସଙ୍କ ଭାଇ ଘର ଭଡ଼ା ନେଇ ଯେଉଁ ହୋଟେଲ କରିଥିଲେ ସେହି ଘର ମାଲିକ ବାବୁଲି ମାଝୀଙ୍କୁ ବି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । 

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତତ୍କାଳୀନ ସିଡିଏମ୍‌ଓଙ୍କ ସହ ୩ ଜଣ ଡାକ୍ତର ରଞ୍ଜନ ପଟେଲ, ଜିତନ ପଟେଲ ଓ ଦିନେଶ ଶର୍ମାଙ୍କର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଥିଲା । ଏମାନଙ୍କ ବ୍ୟତୀତ ନବ ଦାସଙ୍କୁ ବିମାନରେ ଏୟାରଲିଫ୍ଟ ସମୟରେ ଯାଇଥିବା ନର୍ସଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଏହି ତଦନ୍ତରେ ଆହୁରି ଅନେକ ବ୍ୟକ୍ତି ସମ୍ମୁଖୀନ ହୋଇପାରନ୍ତି ବୋଲି କୁହାଯାଉଛି ।

You Can Read:

ଟଙ୍କା ପାଇଁ ମର୍ଡର, ସାଙ୍ଗର କାଠ ଫାଳିଆରେ ଗଲା ଯୁବକଙ୍କ ଜୀବନ,ଅଭିଯୁକ୍ତ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.