ଅନୁଗୋଳ ୦୬।୦୧ : ସୋମବାରଠୁ ସାତକୋଶିଆରେ କୁମ୍ଭୀର ଗଣନା । ସାତକୋଶିଆ ମହାନଦୀରେ ତିନି ଦିନ ବ୍ୟାପି ହେବ ଏହି କୁମ୍ଭୀର ଗଣନା । ଯାହା ଜାନୁଆରୀ ୮ ଯାଏଁ ଚାଲିବ । ଏହି ସମୟରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଡଙ୍ଗାରେ ମାଛ ଧରିବାକୁ ବାରଣ କରାଯାଇଛି ।
ପ୍ରତିବର୍ଷ ଶୀତଋତୁରେ କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥାଏ । ଶୀତଋତୁରେ ଅତ୍ୟଧିକ ଥଣ୍ଡା ଯୋଗୁଁ କୁମ୍ଭୀରମାନେ ପାଣିରୁ ବାହାରି ସ୍ଥଳଭାଗରେ କିମ୍ବା ନଦୀବାଲିପଠାରେ ଶୋଇଥାନ୍ତି । କୁମ୍ଭୀରମାନଙ୍କୁ ଦେଖିବା ସହ ଘୋଷରା ଦାଗକୁ ଲକ୍ଷ୍ୟକରି କୁମ୍ଭୀର ଗଣନା କରାଯାଇଥାଏ । ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଦୂରବୀକ୍ଷଣ ଯନ୍ତ୍ର ଓ କ୍ୟାମେରା ଦ୍ୱାରା ଛୋଟ ଡଙ୍ଗା ସାହାଯ୍ୟରେ ନଦୀମଧ୍ୟରେ କୁମ୍ଭୀର ଗଣନା କାର୍ଯ୍ୟ କରିବେ ।
ଶୀତଦିନେ କୁମ୍ଭୀରମାନେ ବାଲିପଠାରେ ଶୋଇ ରହିଥିବାରୁ ସକାଳ ୬ଟାରୁ ଦିନ ୧୨ଟାମଧ୍ୟରେ ଗଣନା କାର୍ଯ୍ୟ ସହଜ ହୋଇଥାଏ ବୋଲି ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି। ଛାମୁଣ୍ଡିଆ ବନାଞ୍ଚଳର ବଡ଼ମୂଳଠାରୁ ମଣିଭଦ୍ରା ଓ ମଣିଭଦ୍ରାଠାରୁ ମାରଡ଼ା ପଦ୍ମାବତୀ ପର୍ଯ୍ୟନ୍ତ ୩ଟି ଟିମ୍ରେ ବନକର୍ମଚାରୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ସେହିପରି ୧୭ ଓ ୧୮ ତାରିଖରେ ପକ୍ଷୀ ଗଣନା କରାଯିବ ବୋଲି ସୂଚନା ମିଳିଛି।