ନୂଆଦିଲ୍ଲୀ ୦୮/୦୫: ପାକିସ୍ତାନରେ 'ଅପରେସନ୍ ସିନ୍ଦୂର'ର ୩୫ ଘଣ୍ଟା ପରେ ଦିଲ୍ଲୀରେ ଥମିନି ଉତ୍ତେଜନା । ସେନା ତା'ର କାମ ସାରିଛି । ଏବେ ମୋର୍ଚ୍ଚା ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଏନଏସଏ ଅଜିତ ଡୋଭାଲଙ୍କ ହାତରେ ଅଛି ।
ବୁଧବାର ଦିନସାରା କୂଟନୈତିକ କ୍ଷେତ୍ରରେ ସକ୍ରିୟ ରହିଥିଲେ। ହେଲେ ଗୁରୁବାର ଅର୍ଥାତ୍ ଆଜି ଅଜିତ ଡୋଭାଲ ହଠାତ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ । ତେବେ ଏହି ବୈଠକ ପ୍ରାୟ ୫୦ ମିନିଟ୍ ଧରି ଚାଲିଥିଲା। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଅନେକ କଳ୍ପନା ଜଳ୍ପନା । ପ୍ରଶ୍ନ ଉଠୁଛି କି, ଅପରେସନ ୨.O ।
ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ୫୦ ମିନିଟ୍ ଆଲୋଚନା ହୋଇଛି । ସେପଟେ ଅପରେସନ ‘ସିନ୍ଦୂର’ ସମ୍ପର୍କରେ ଆଲୋଚନା ପାଇଁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ।
ଏଥିରେ ଅମିତ ଶାହ, କିରନ ରିଜିଜୁ, ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ଖଡ୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିରେ ଆଗାମୀ ରଣନୀତି ନେଇ ଆଲୋଚନା ହୋଇପାରେ।
ସୂଚନା ଥାଉକି, ଅଜିତ୍ ଡୋଭାଲ, ଯାହାକୁ କୁହାଯାଏ ଭାରତର 'ଜେମ୍ସ ବଣ୍ଡ' । ସେ ପ୍ରଧାନମନ୍ତ୍ରୀଙ୍କୁ କୂଟନୈତିକ ଓ ଗୁଇନ୍ଦା କ୍ଷେତ୍ରରେ ସମସ୍ତ ସୂଚନା ଦେଇଛନ୍ତି । ଅପରେସନ ସିନ୍ଦୂରର ପରିବର୍ତ୍ତିତ ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି । ଭାରତ ପାଇଁ, ଅପରେସନ ପରେ ଏହି ସମୟ କୂଟନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି ଯେ ପାକିସ୍ତାନ ସାମରିକ ମୋର୍ଚ୍ଚାରେ ଭାରତ ସହିତ ମୁକାବିଲା କରିବା ସ୍ଥିତିରେ ନାହିଁ ।
ପାକିସ୍ତାନ ଏବେ ବିଶ୍ୱ ସମ୍ମୁଖରେ ନୀରିହ ହେବାକୁ ଚେଷ୍ଟା କରୁଛି। ତାଙ୍କ ମନ୍ତ୍ରୀମାନେ ବିଦେଶୀ ଟିଭି ଚ୍ୟାନେଲଗୁଡ଼ିକରେ ସାକ୍ଷାତକାର ଦେଉଛନ୍ତି । ସେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରୁଛନ୍ତି । ତଥାପି, ସେସବୁ ଚାଲ୍ ତାର ଫେଲ୍ ମାରୁଛି । ବାରମ୍ୱାର ଲଜ୍ଜ୍ୟାର ସମ୍ମୁଖୀନ ହେଉଛି ପାକିସ୍ତାନ ।
ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସୂଚନା ମନ୍ତ୍ରୀ ଅପରେସନ ସିନ୍ଦୂର ଉପରେ ଯେଉଁଭଳି ଏକ ମିଥ୍ୟା କାହାଣୀ ସୃଷ୍ଟି କରିଥିଲେ । ସେନେଇ ସେମାନେ ଲଜ୍ଜିତ ହୋଇଥିଲେ। ପାକିସ୍ତାନର ଏହି ପ୍ରଚାର ଏବଂ ଅପରେସନ ସିନ୍ଦୁର ଉପରେ ଭାରତ କୂଟନୀତି ମାଧ୍ୟମରେ ବିଶ୍ୱର ଦେଶଗୁଡ଼ିକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଆମେ ଏଥିରେ ମଧ୍ୟ ବଡ଼ ସଫଳତା ହାସଲ କରିଛୁ।