ଦୁଲୁକିବ ମହାନଦୀ ପଠା ; କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ, ଏଥର ବିଦେଶୀ ପିଠାର ସ୍ୱାଦ ଚାଖିବେ କଟକିଆ

Published By : Prameya-News7 Bureau | November 14, 2024 IST

କଟକ 14/12 :  ରାତି ପାହିଲେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଏଥର ଦେଶ ବିଦେଶର କଳାକାରମାନେ ଦର୍ଶକଙ୍କ ମନ ଜିଣିବେ। ସେପଟେ ପୁଣି ସ୍ୱତନ୍ତ୍ର ପିଠା ଉତ୍ସବରେ ଉପଲବ୍ଧ ହେବ ଉଭୟ ଦେଶୀ ଏବଂ ବିଦେଶୀ ପିଠା। ଲୋକଙ୍କ ମନୋରଞ୍ଜନ ଲାଗି ଏଥର ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରୁଛି ପ୍ରଶାସନ। ପୁଣି ୱାଟର ଗେମ୍ ଏବଂ ଲାଇଟ୍ ସୋ ଲାଗି ମଧ୍ୟ ବନ୍ଦୋବସ୍ତ ହେଉଛି। ଆଜି ସୁଦ୍ଧା ପ୍ରାୟ ସମସ୍ତ ବ୍ୟବସାୟୀମାନେ ବାଲିଯାତ୍ରା ପଡିଆକୁ ଆସି ସାରିଲେଣି। ଏବଂ ଆସନ୍ତା କାଲିଠାରୁ ମହାନଦୀର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଏହି ବିରାଟ ବାଣିଜ୍ୟ ମେଳା ହେବ ଆରମ୍ଭ।

ଆସନ୍ତାକାଲି ଅପରାହ୍ନରେ ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ସାଙ୍ଗରେ ରହିବେ ପ୍ରାୟ 13ଟି ଦେଶର ପ୍ରତିନିଧି। ଦେଶ ବିଦେଶର ଅନେକ ଖ୍ୟାତନାମା ବ୍ୟକ୍ତି। ହେଲେ ଏଥର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ ଓରମାସ ଷ୍ଟଲ, ଯାହା କ୍ଷୁଦ୍ର ତଥା ଗ୍ରାମୀଣ ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଲାଗି ସବୁଠାରୁ ବଡ଼ ପ୍ଲାଟଫର୍ମ।  ଯେଉଁଠି ଉପଲବ୍ଧ ହେବ ଦେଶୀ ଏବଂ ବିଦେଶୀ ପିଠା। ତା ସହିତ ମହିଳା ଉଦ୍ୟୋଗୀ ଏବଂ ଏସ ଏଚ ଜି ଗ୍ରୁପ ମାନଙ୍କ ଲାଗି ଓରମାସ ପରିସରରେ ପ୍ରାୟ ୭୦ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇ ରହିଛି। ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନଙ୍କ ଲାଗି ଏଥର ବେଶ ଭଲ ସୁବିଧା ଯୋଗାଇ ଦେଇଛି ପ୍ରଶାସନ। ତେଣୁ ଚଳିତ ବାଲିଯାତ୍ରାରେ, ବେପାର ଜମିବ ବୋଲି ରାଜ୍ୟ ବାହାରର ବ୍ୟବସାୟୀମାନେ ବେଶ୍ ଆଶାବାଦୀ। 


ଏଥର ଯାତ୍ରା ପଡିଆର ପ୍ରାୟ 6 ଟି ସ୍ଥାନରେ ଭିନ୍ନ ଭିନ୍ନ ଦୋଳି ଲାଗିଛି ଏବଂ ଖାଦ୍ୟପେୟ ଲାଗି ଭିନ୍ନ ଭିନ୍ନ ସେକ୍ଟରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରାରେ ଧୂଳି ନ ଉଡିବା ଲାଗି କେମିକାଲ ସ୍ପ୍ରେ ଲାଗି ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥ ଏବଂ ପ୍ରସ୍ଥାନ ଲାଗି ଭିନ୍ନ ଭିନ୍ନ ରୁଟ ମଧ୍ୟ କରାଯାଇଛି। ଲୋକଙ୍କ ମନୋରଞ୍ଜନ ଲାଗି ଏଥର ବଲିଉଡର ନାମୀ କଳାକାର ମାନଙ୍କୁ ନେଇ ମଞ୍ଚ ପ୍ରସ୍ତୁତ ହେବ। ଲୋକ କଳା ପ୍ରଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ମଞ୍ଚର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ଯେଉଁଠି ଅନେକ ବିଦେଶୀ କଳାକାର ମାନେ ମଧ୍ୟ ସେମାନଙ୍କ ଲୋକ କଳାକୁ ପ୍ରଦର୍ଶିତ କରିପାରିବେ।ଏହା ବାଦ, ମହାନଦୀରେ ନୌକା ବିହାର, ଗୁଡ଼ି ଉଡ଼ା ପ୍ରତିଯୋଗିତା ଏବଂ ପାଥୋତ୍ସବ କରିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି, ସମସ୍ତ ପ୍ରସ୍ତୁତି ପର୍ବକୁ ଆଉଥରେ ନିରୀକ୍ଷଣ କଲାପରେ ଏଭଳି ସୂଚନା ଦେଇଛନ୍ତି ଜିଲ୍ଲାପାଳ। 

ଯେହେତୁ ଚଳିତ ବର୍ଷ ଫୁଟ ପାଥରେ କୌଣସି ପ୍ରକାର ବ୍ୟବସାୟ କରିବା ଉପରେ କଟକଣା ଲାଗୁ କରାଯାଇଛି। ତେଣୁ ପ୍ରାୟ ୫ ଶହରୁ ୧ ହଜାର ଭଳି କ୍ଷୁଦ୍ର ବ୍ୟବସାୟୀ ଏଥର ବାଲିଯାତ୍ରା ପଡିଆରେ ସ୍ଥାନିତ ହେବେ। ଯେଉଁମାନଙ୍କ ଲାଗି ବାଲିଯାତ୍ରା ପଡିଆରେ ପ୍ରାୟ ୮୦ ହଜାର ସ୍କୋୟାର ଫୁଟର ଜାଗା ଉପଲବ୍ଧ କରାଇଛି ଜିଲ୍ଲା ପ୍ରଶାସନ।

Aloso Read-  ଚଳିତ ବାଲିଯାତ୍ରାରେ ଓରମାସ୍ ଷ୍ଟଲରେ ହେବ ପିଠା ମହୋତ୍ସବ, ଉପଲବ୍ଧ ହେବ ଦେଶୀ ଏବଂ ବିଦେଶୀ ପିଠା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.