ଭୁବନେଶ୍ବର ୨୬।୧୨: ବିଜେଡ଼ି ପାଳୁଛି ୨୮ତମ ପ୍ରତିଷ୍ଠା ଦିବସ । ବିଜେଡ଼ି ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଲେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ପଟ୍ଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡ଼ି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ସ୍ୱାର୍ଥ ସର୍ବାଗ୍ରେ । ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ ବୋଲି ନବୀନ ଘୋଷଣା କରିଥିଲେ ।
ଦଳର ପ୍ରତିଷ୍ଠାର ସୁବର୍ଣ୍ଣ ମୁହୂର୍ତ୍ତ ସମ୍ପର୍କରେ ସ୍ମୃତି ଚାରଣ କରି ନବୀନ କହିଥିଲେ, ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁପ୍ରେମୀ ମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢିପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମୋତେ ମଧ୍ୟ କହୁଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶାବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି ।
ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାରର ସଫଳତା ଉପରେ ଆଲୋକପାତ କରି ନବୀନ କହିଥିଲେ ଯେ, ଦୁନିଆରେ ବିଜେଡି ସରକାର ଓଡିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି । ଅନ୍ୟ ରାଜ୍ୟର ଖାଦ୍ୟଶସ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯ୍ୟୟ ପରିଚାଳନାରେ ଆଦର୍ଶ ରାଜ୍ୟ ହୋଇପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ ଓଭର ଡ୍ରାଫ୍ଟରେ ଚଳୁଥିବା ରାଜ୍ୟ ଆଜି ବଜେଟ୍ ସରପ୍ଲସ୍ ରାଜ୍ୟ ହୋଇପାରିଛି ।
ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା ସ୍ପୋର୍ଟ୍ସ କ୍ୟାପିଟାଲର ପରିଚୟ ପାଇଛି । ଓଡ଼ିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି ବୋଲି ପ୍ରକାଶ କରି ନବୀନ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
You Can Read:
ଅଦିନିଆ ବର୍ଷା ଉଜାଡ଼ି ଦେଲା ଚାଷ : କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ