ଭୁବନେଶ୍ବର ୨୬।୧୨: ବିଜେଡ଼ିର ପ୍ରତିଷ୍ଠା ଦିବସରେ ନିର୍ବାଚନ ପରାଜୟର କାରଣ କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ । ମୁଁ ଆଜି ତାର ଉତ୍ତର ଦେବି । ମୁଁ କହିବି ଆମେ ହାରି ନାହୁଁ । ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍ ଭୋଟ୍ ପାଇଛି ।
ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛର ଠିକ୍ ଭାବରେ କାଉଣ୍ଟର କରିପାରିଲୁ ନାହିଁ । ସେମାନଙ୍କ ନକାରାତ୍ମକ କ୍ୟାମ୍ପେନ ଓ ସୋସିଆଲ ମିଡ଼ିଆରେ ମିଥ୍ୟା କାହାଣୀର ଠିକ୍ ଭାବରେ ଆମେ କାଉଣ୍ଟର କରିପାରିଲୁ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଓଡ଼ିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି । ତେଣୁ କର୍ମୀ ଭାଇ ଭଉଣୀ ମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହି ବିଜେପିର ମିଥ୍ୟା କାହାଣୀର ଉଚିତ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।
ବର୍ତ୍ତମାନ ଓଡିଶାରେ ଚାଲିଥିବା ସରକାର ବିଷୟରେ ନବୀନ ପଟ୍ଟନାୟକ କହିଥିଲେ ଯେ, ଗତ ୬ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମା’ ମାନେ ଦୁଃଖ ରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ନିନ୍ଦୁକ ମାନଙ୍କୁ କଡା ଜବାବ ଦେଇ ନବୀନ ପଟ୍ଟନାୟକ କହିଥିଲେ, ୧୯୯୭ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ । ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ, ଏ ଦଳର ଭବିଷ୍ୟତ ନାହିଁ । ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜଳ ଭବିଷ୍ୟତ ରହିଛି । ଓଡିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡି ହୋଇ ରହିଛି । ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି । ଓଡିଶାର ପରିଚୟକୁ ଉଜ୍ଜଳ କରିଛି ବିଜୁ ଜନତା ଦଳ । ଓଡିଶାର ହକ୍ ପାଇଁ ଲଢୁଥିବା ଦଳ ହେଉଛି ବିଜୁ ଜନତା ଦଳ । ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ । ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହି ଯାଇଛି ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ ।
You Can Read:
ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ : ନବୀନ କହିଲେ- ଆଗାମୀ ଶହେ ବର୍ଷ ଯାଏଁ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରିବ