ରିଲିଜ୍ ହେବ ଫିଲ୍ମ 'ସନାତନୀ', ରିଲିଜ୍ ଉପରେ ରୋକ୍ ଲଗାଇଲେନି ହାଇକୋର୍ଟ

Published By : Prameya-News7 Bureau | February 05, 2025 IST

କଟକ: ‘ସନାତନୀ’ ସିନେମା ରିଲିଜକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ସିନେମା ପ୍ରଦର୍ଶନ ଉପରେ କୌଣସି ରୋକ ଲଗାଇ ନାହାନ୍ତି ହାଇକୋର୍ଟ। ପ୍ରଦର୍ଶନ ପରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଉଭୟ ସରକାର ସଚେତନ ରହିବେ। ହାଇକୋର୍ଟ ମାମଲାର ଶୁଣାଣି କରି ଆପତ୍ତିଜନକ ବିଷୟବସ୍ତୁ ଥିଲେ ପୁନଃସମୀକ୍ଷା କରିବାକୁ ସେନ୍ସର ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଏହି ଫିଲ୍ମକୁ ନେଇ ଗୁଇନ୍ଦା ସତର୍କତା ଜାରି କରାଯାଇଛି। 

ସୂଚନାଯୋଗ୍ୟ, ଓଡ଼ିଆ ଫିଲ୍ମ ସନାତନୀକୁ ନେଇ ବିବାଦ ଦେଖା ଦେଇଛି। ଫିଲ୍ମରେ ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଫିଲ୍ମରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । । ସେପଟେ ଅଭିଯୋଗକୁ ଖଣ୍ଡନ କରି ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଅଭିନେତା ସମ୍ୱିତ ଆଚାର୍ଯ୍ୟ ଏକ ପ୍ରେସମିଟ କରି ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଥିଲେ । 

Also read: ମହାକୁମ୍ଭରେ ପୁଣି ପହଞ୍ଚିଲେ ମମତା କୁଲକର୍ଣ୍ଣି, ଭସ୍ମ ଶୃଙ୍ଗାର କରି ମହାମଣ୍ଡଳେଶ୍ଵରଙ୍କର ନେଲେ ଆର୍ଶିବାଦ

ଫିଲ୍ମର ଅଭିନେତା ସମ୍ୱିତ ଆଚାର୍ଯ୍ୟ କହିଥିଲେ ଯେ, ‘ସିନେମାକୁ UA ସାର୍ଟିଫିକେଟ ମିଳିଛି। ସିନେମା ରିଲିଜ ହେଲେ କୌଣସି ଦଙ୍ଗା ହେବାର ସମ୍ଭାବନା ନାହିଁ । ଏହି ଫିଲ୍ମରେ ଆମେ କୌଣସି ଧର୍ମକୁ ଆକ୍ଷେପ କଲା ଭଳି ଦେଖାଇନାହୁଁ ।’ କାହାକୁ ଆକ୍ଷେପ କରିବା ଆମର ଲକ୍ଷ୍ୟ ନୁହେଁ ବୋଲି କହିଛନ୍ତି ସିନେମାର ଅଭିନେତା ସମ୍ବିତ ଆଚାର୍ଯ୍ୟ ଓ ପ୍ରଯୋଜକ ବିଜୟ କାଣ୍ଡୋଇ ।

ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍‌ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଫିଲ୍ମ ସତାତନୀ ନିର୍ମାଣ ହୋଇଛି। ଏଥିରେ ଧର୍ମାନ୍ତୀକରଣକୁ ଦେଖାଯାଇଛି । ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଅଭିନୟ କରିଛନ୍ତି। ଆଉ ତାଙ୍କ ବିପକ୍ଷରେ ଗାଉଁଲି ଝିଅ ଚରିତ୍ରରେ ଅଭିନୟ କରିଛନ୍ତି  ଆର୍ଲିନ୍‌ ଅଙ୍କିତା । ସମ୍ବିତ-ଆର୍ଲିନ ଅଙ୍କିତା ବ୍ୟତୀତ ଅନ୍ୟାନ୍ୟ ଭୂମିକାରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ଅଭିନୟ କରୁଛନ୍ତି । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.