ନୂଆଦିଲ୍ଲୀ: ଟେସ୍ଲା ସିଇଓ ଏଲନ ମସ୍କଙ୍କର ଭୟଙ୍କର ଭବିଷ୍ୟବାଣୀ। ସିଙ୍ଗାପୁର ସମେତ ଲୋପ ପାଇ ଯିବେ କିଛି ଏସୀୟ ଦେଶ। କାରଣ ଏହି ଦେଶଗୁଡ଼ିକରେ ଯେଉଁଭଳି ଭାବେ ଜନସଂଖ୍ୟା କମୁଛି, ଦିନେ ସମୟ ଆସିବ, ଏହିସବୁ ଦେଶର ଭୌଗଳିକ ଅବସ୍ଥିତି ତ ଥିବ, ହେଲେ ଜନବସତି ନଥିବ। ଭାରତ ମଧ୍ୟ ଏହି ରାସ୍ତାରେ ଚାଲିବା ଆରମ୍ଭ କଲାଣି।
ସିଙ୍ଗାପୁରରେ ‘ବେବି କ୍ରାଇସିସ୍’ ବା ‘ଶିଶୁ ଅଭାବ’ ନାମକ ଏକ ରିପୋର୍ଟରେ ପ୍ରତିକ୍ରିୟା ଦେଇ ମସ୍କ ଜନସଂଖ୍ୟ ହ୍ରାସ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସିଙ୍ଗାପୁର ଓ ଅନ୍ୟ କିଛି ଦେଶ ବିଲୁପ୍ତ ହେବାକୁ ଯାଉଛନ୍ତି ବୋଲି ମସ୍କ ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ବର୍ତ୍ତମାନ ଦକ୍ଷିଣ କୋରିଆ, ଜାପାନ, ହଂକଂ ଓ ଚୀନ୍ରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଭାରତର ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି।
ଜନସଂଖ୍ୟା ବଢ଼ାଇବାକୁ ସିଙ୍ଗାପୁର ସରକାର ଏକାଧିକ ସରକାରୀ ନୀତି ଆଣୁଛନ୍ତି। ଅଧିକ ପିଲା ଜନ୍ମ ହାର ବଢ଼ାଇବାକୁ ପ୍ରୋତ୍ସାହିତ କରାଯାଉଛି। ହେଲେ ଜନସଂଖ୍ୟା ଅଭାବରୁ ବର୍ତ୍ତମାନ ସିଙ୍ଗାପୁରରେ ମଣିଷ ଜାଗାରେ ରୋବଟ କାମ କରୁଛନ୍ତି।
ବିଶ୍ୱ ଜନସଂଖ୍ୟା ସ୍ଥିତି ଦେଖିଲେ ୧୯୭୦ ପର୍ଯ୍ୟନ୍ତ ଦକ୍ଷିଣ କୋରିଆ, ଜାପାନ ଏବଂ ଚୀନ୍ ଭଳି ଦେଶରେ ମହିଳାମାନଙ୍କର ହାରାହାରି ପାଞ୍ଚରୁ ଅଧିକ ସନ୍ତାନ ଥିଲେ। ବର୍ତ୍ତମାନ ଏହି ଦେଶଗୁଡ଼ିକରେ ପ୍ରତ୍ୟେକ ମହିଳାଙ୍କର ହାରାହାରି ଗୋଟିଏ ସନ୍ତାନରୁ ବି କମ୍ ରହିଛନ୍ତି। ବିଗତ ୭୦ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ପ୍ରଜନନ ହାର ୫୦% ହ୍ରାସ ପାଇଛି। କେତେ ଚିନ୍ତାର ବିଷୟ ନାଁ?
ବିଶେଷ କରି ଦକ୍ଷିଣ କୋରିଆ, ଜାପାନ ଏବଂ ସିଙ୍ଗାପୁରରେ ସ୍ଥିତି ଚିନ୍ତା ଜନକ ରହିଛି। ଦକ୍ଷିଣ କୋରିଆର ଜନ୍ମହାର ଶୋଚନୀୟ ଭାବେ ହ୍ରାସ ପାଇଛି। ସେଠାରେ ପ୍ରତି ମହିଳାଙ୍କ ହାରାହାରି ୦.୭୨ ପିଲା ଅଛନ୍ତି। ସେହିପରି ସିଙ୍ଗାପୁରରେ ଏହା ୦.୯୭ କୁ ଖସି ଆସିଛି। ସେପଟେ ୧୯୪୭ ପରଠାରୁ ଜାପାନରେ ଜନ୍ମହାର ନିୟମିତ ଭାବେ କମି ଚାଲିଛି। ତେଣୁ ଜାପାନରେ ଶିଶୁ ଓ ଯୁବକଙ୍କ ତୁଳନାରେ ବୟସଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ସେଠାରେ ଅଧିକ ବୟସ୍କ ଲୋକ ରହୁଛନ୍ତି। ତେଣୁ ଜାପାନକୁ ବୟସ୍କଙ୍କ ଦେଶ ବୋଲି କୁହାଯାଉଛି।
କାହିଁକି କମୁଛି ଜନ୍ମହାର?
ବର୍ତ୍ତମାନ କମ୍ପିଟେଟିଭ ମାର୍କେଟ୍ରେ ସବୁ କିଛି ମହଙ୍ଗା ହୋଇଛି। ଯୁଗ ସହ ତାଳ ଦେଇ ଧାଉଛନ୍ତି ଯୁବପିଢ଼ି। ଆଗ କ୍ୟାରିୟର ଗଢ଼, ସଫଳ ହୁଅ ତା’ ପରେ ଯାଇ ବାହାଘର। ଆଉ ଏସବୁ ଚକ୍କର ଭିତରେ ବୟସ ଗଡ଼ି ଯାଉଛି। ତେଣୁ କିଏ ବାହା ହେବ? କିଏ ପିଲା ଜନ୍ମ କରି ଦାୟିତ୍ୱ ନେବ? ଏଭଳି ଭାବନା ବର୍ତ୍ତମାନ ଯୁବପିଢ଼ିଙ୍କ ମନରେ ବସା ବାନ୍ଧିଲାଣି। ତା’ ଛଡ଼ା ମହଙ୍ଗା ମାର୍କେଟ୍ ସହ ତାଳ ଦେଇ ଚାଲିବାକୁ ହେଲେ ଆଚ୍ଛା ଖାସ୍ ଇନ୍କମ ବି ଦରକାର। ନହେଲେ ପଛରେ ପଡ଼ିଯିବାର ଭୟ ରହୁଛି। ବୟସ ଗଡ଼ିବା ସହିତ ପଛରେ ପଡ଼ିଯିବାର ଭୟ ଯୋଗୁ ବାହା ହେବାକୁ ଅମଙ୍ଗ ହେଉଛନ୍ତି ଯୁବପିଢି। ଯଦି ବା କେହି ବାହା ହେଉଛନ୍ତି ହେଲେ ପିଲା ଜନ୍ମ କରିବାକୁ ରାଜି ହେଉ ନାହାନ୍ତି। ବାହାଘର କେବଳ ଏକ ଉପଭୋଗ ପାଲଟିଲାଣି। ଯାହା ଜନସଂଖ୍ୟା ହ୍ରାସର ପ୍ରମୁଖ କାରଣ।
ଦକ୍ଷିଣକୋରିଆରେ ସ୍ଥିତି ଠିକ୍ ଏମିତି। ଏଠାରେ ୨୦-୩୦ ବର୍ଷ ମଧ୍ୟରେ ଥିବା ଯୁବପିଢ଼ି ବିବାହ ହୋଇ ବାପାମା ହେବାକୁ ଅମଙ୍ଗ ହେଉଛନ୍ତି। କାରଣ ଅର୍ଥନୈତିକ ଚାପ ଓ ମହଙ୍ଗା ମାର୍କେଟ୍ ସେମାନଙ୍କୁ ପରିବାର ଗଢ଼ିବାକୁ ଡରାଉଛି। ଫଳରେ ଦେଶରେ ବିବାହ ହାର ୫.୫ ପ୍ରତିଶତକୁ ଖସି ଆସିଲାଣି। ବର୍ତ୍ତମାନ ଦକ୍ଷିଣ କୋରିଆରେ ଶିଶୁ ଓ ଯୁବକଙ୍କ ବଦଳରେ ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି ବୋଲି ଲାନ୍ସେଟ୍ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। ଦକ୍ଷିଣ କୋରିଆରେ ମୋଟ ୫୧.୬ ମିଲିଅନ ଜନସଂଖ୍ୟାରୁ ୧୯.୫ ପ୍ରତିଶତ ପାଖାପାଖି ୧୦ ମିଲିଅନ ଜନସଂଖ୍ୟା ୬୫ ବର୍ଷରୁ ଅଧିକ। ଯଦି ଏହି ଧାରା ଜାରି ରହିଲା ତେବେ ୨୧୦୦ ମସିହା ବେଳକୁ ଦକ୍ଷିଣ କୋରିଆର ଜନସଂଖ୍ୟା ବର୍ତ୍ତମାନର ଜନସଂଖ୍ୟା ଠାରୁ ଅଧା ହୋଇଯିବ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି।
ଏବେ ସିଂଗାପୁର କଥା ଦେଖିବା। ସିଙ୍ଗାପୁରରେ ଜନ୍ମ ହାର ବହୁତ ହ୍ରାସ ପାଇଛି। ସରକାରୀ ଆକଳନରୁ ଜଣାପଡ଼ିଛି ଯେ ପ୍ରଜନନ ଯୋଗ୍ୟ (୨୫–୩୪) ବୟସ ସୀମାର ମହିଳାମାନେ ଅବିବାହିତ ରହିବାକୁ ପସନ୍ଦ କରୁଛନ୍ତି। ଏଭଳି ମହିଳାଙ୍କ ସଂଖ୍ୟା ବଢ଼ୁଛି। ସିଙ୍ଗାପୁରରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଜନ୍ମହାର ୨.୧ ରହିଥିବା ବେଳେ ବର୍ତ୍ତମାନ ଏହା ସବୁଠାରୁ କମ ୦.୯୭ ରହିଛି। ସେପଟେ ଜାତିସଂଘ କହିଛି ଯେ ଆସନ୍ତା ୬ ବର୍ଷରେ ସିଙ୍ଗାପୁରରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୨୪ ପ୍ରତିଶତକୁ ବୃଦ୍ଧି ପାଇବ। ଫଳରେ ଜାପାନ ଭଳି ସିଙ୍ଗାପୁର ମଧ୍ୟ ବୟସ୍କ ଲୋକଙ୍କ ଦେଶ ହୋଇଯିବ।
କମ୍ ଜନ୍ମହାରର ମୁକାବିଲା କରିବାକୁ କେଉଁ ପଦକ୍ଷେପ ନେଉଛନ୍ତି ଦକ୍ଷିଣ କୋରିଆ ଓ ସିଙ୍ଗାପୁର?
ଦେଶରେ ଜନସଂଖ୍ୟା କମ ଥିବାରୁ ଟେକ୍ନୋଲୋଜୀ ସମ୍ପନ୍ନ ସିଙ୍ଗାପୁର ରୋବଟ୍ରେ କାମ ଚଳାଉଛି। ବିମାନ ବନ୍ଦର ଠାରୁ ଆରମ୍ଭ କରି ବିଭିନ୍ନ ଫ୍ୟାକ୍ଟ୍ରି ଓ ହୋଟେଲ୍ ୱେଟର ଆଦି ସ୍ଥାନଗୁଡ଼ିକରେ ମଣିଷ ଜାଗାରେ ରୋବଟ କାମ କରୁଛନ୍ତି। ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରୋବୋଟିକ୍ସର ସୁଚନା ଅନୁସାରେ, ସିଙ୍ଗାପୁରରେ ପ୍ରତି ୧୦ ହଜାର ଶ୍ରମିକଙ୍କ ମଧ୍ୟରେ ୭୭୦ ରୋବଟ ଶ୍ରମିକ ରହିଛନ୍ତି। ସିଙ୍ଗାପୁର ପ୍ରତି ଗଳି କନ୍ଧିରେ ରୋବଟ ପୁଲିସ, ରୋବଟ ସଫେଇ କର୍ମୀ, ରୋବଟ ୱେଟର୍ସ, ରୋବୋଟ୍ କୁକୁର ଆଦି କାମ କରୁଥିବାର ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟର କଥା ହେଲା ସିଙ୍ଗାପୁର ଏହାର ଚାଙ୍ଗୀ ବିମାନ ବନ୍ଦରରେ ପାଟ୍ରୋଲିଂ ପାଇଁ ପୁଲିସ ଜାଗାରେ ରୋବର୍ଟ ମୁତୟନ କରିଛି।
ସେପଟେ ଦକ୍ଷିଣ କୋରିଆ ନାନା ଆର୍ଥିକ ପ୍ରୋତ୍ସାହନ ଦେଇ ଦେଶର ମହିଳାଙ୍କୁ ଅଧିକ ପିଲା ଜନ୍ମ କରିବାକୁ ପ୍ରୋତ୍ସାହିତ କରୁଛି। ସରକାରୀ ଯୋଜନା ଅନୁସାରେ, ୨୦୨୨ ଠାରୁ ପିଲା ଜନ୍ମ କରୁଥିବା ମହିଳାଙ୍କୁ ଅଭିଭାବକ ଭାବେ ଖର୍ଚ୍ଚ ଉଠାଇବାକୁ ନଗଦ ୧,୮୫୦ ଆମେରିକା ଡଲାର(୧,୫୭,୦୦୦) ପ୍ରୋତ୍ସାହନ ରାଶି ଦିଆଯାଉଛି। ଏହା ବାଦ୍ ପିଲା ବର୍ଷକର ନେହେବା ପର୍ଯ୍ୟନ୍ତ ମାଆକୁ ଦରମା ଆକାରରେ ମାସକୁ ମାସ ବଢ଼ାଇ ବଢ଼ାଇ ଟଙ୍କା ଦିଆଯାଉଛି। ଦିନ ବେଳା ପିଲାର ଦେଖାରେଖା କରିବାର ମାଗଣା ସୁବିଧା, ସବ୍ସିଡି ଆକାରରେ ପେମେଣ୍ଟ ଦିଆଯାଉଛି। ତତ୍ସହିତ ଦୃଷ୍ଟୀହୀନଙ୍କୁ ବିବାହ ପାଇଁ ପ୍ରୋତ୍ସାହିତ କରିବାକୁ ମଧ୍ୟ ଦକ୍ଷିଣ କୋରିଆ ସରକାର ବିଭିନ୍ନ ଯୋଜନା କରିଛନ୍ତି ।
ଏପଟେ ଭାରତର ସ୍ଥିତି ମଧ୍ୟ ଧୀରେ ଧୀରେ ଖରାପ ହେବାରେ ଲାଗିଛି। ଦେଶରେ ବର୍ତ୍ତମାନ ମଧ୍ୟମ ଆୟୁ ବର୍ଗ ୨୯ରେ ପହଞ୍ଚିଲାଣି। ଅର୍ଥାତ୍ ଆମ ଦେଶରେ ୨୯ ବର୍ଷରୁ ଅଧିକ ଯେତିକି ବୟସ୍କ ଅଛନ୍ତି ସେତିକି ଯୁବକ ମଧ୍ୟ ରହିଛନ୍ତି। ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୪ ମସିହାରେ ଭାରତର ମଧ୍ୟମା ବୟସ ୨୫ ଥିଲା। ୧୦ ବର୍ଷ ମଧ୍ୟରେ ଭାରତ ୪ ବର୍ଷ ବୟସ୍କ ଆଡ଼କୁ ମୁହାଁଇଛି। ଯାହା ଭାରତ ଭଳି ଏକ ଯୁବଶକ୍ତିର ଦେଶ ପାଇଁ ସତର୍କ ଘଣ୍ଟି। ନିକଟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଭାରତର କମୁଥିବା ଜନସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ବାପାମାଙ୍କ ୩ ଟି ଲେଖାଏ ସନ୍ତାନ ଜନ୍ମ କରିବାକୁ ପରାମର୍ଶ ବି ଦେଇଥିଲେ।