ଭୁବନେଶ୍ବର ୨୧।୮: ଶ୍ରାବଣ ସରିଲା ହେଲେ ରାଜ୍ୟରେ ବର୍ଷାର ଅଭାବ । ୭ ଜିଲ୍ଲାର ସ୍ଥିତି ଉତ୍କଟ । ପାଣିପାଗ ବିଭାଗ ନିର୍ଦ୍ଦେଶିକା କହୁଛନ୍ତି କିଛି ହେଲେ ତଥ୍ୟ କହୁଛି ଭିନ୍ନ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ଆଉ ନାହିଁ ।
ତଥ୍ୟ ଅନୁସାରେ ଜୁନ୍ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ହାରାହାରି ୭୬୪.୦ ମିମି ବର୍ଷା ହୋଇଛି । ଏହାକୁ ସ୍ୱାଭାବିକ କୁହାଯିବ । ମାତ୍ର ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି । କଳାହାଣ୍ଡି ଓ ରାୟଗଡାରେ ସର୍ବାଧିକ ୩୦% ବର୍ଷା କମ୍ ଥିବାବେଳେ ଗଜପତିରେ ୨୧%, ବଲାଙ୍ଗିରରେ ୨୮%, ପୁରୀରେ ୨୮%, ଖୋର୍ଦ୍ଧାରେ ୨୧%, ଯାଜପୁରରେ ୨୧% ବର୍ଷା କମ୍ ହୋଇଛି । ଏଥିସହ ୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଓ ୨୧ ଜିଲ୍ଲାରେ ବର୍ଷା ସ୍ୱାଭାବିକ ରେକର୍ଡ ହୋଇଛି ।
ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଶୁକ୍ରବାର ପାଇଁ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ବାକି ୨୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଏହାପରେ ପାଗରେ ପରିବର୍ତ୍ତନ ହୋଇପାରେ ।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଦୁର୍ବଳ ହୋଇଛି ଲଘୁଚାପ । ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା କମ୍ । ତେବେ ଦକ୍ଷିଣ ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପବନ ପ୍ରବାହିତ ହେଉଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଭଳି ପାଗ ଆସନ୍ତା ୨୬ ତାରିଖ ଯାଏଁ ଜାରି ରହିବ । ଉତ୍ତର ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେବ ।
ବାୟୁମଣ୍ଡଳର ଉପରି ଭାଗରେ କେତେବେଳେ ଘୂର୍ଣ୍ଣିବଳୟ କେତେବେଳେ ଟ୍ରପ୍ ଲାଇନ୍ ରହିବ ପ୍ରବଳ ବର୍ଷା ନ ହେଲେ ମଧ୍ୟ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।
You Can Read:
କୃଷି ଅଧିକାରୀଙ୍କ ସଚିବଙ୍କ କଡ଼ା ଚେତାବନୀ, ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ