ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ, ପ୍ରସ୍ତାବକ ରହିଲେ କଂଗ୍ରେସ ସାଂସଦ

Published By : Prameya-News7 Bureau | August 21, 2025 IST

ନୂଆଦିଲ୍ଲୀ ୨୧/୦୮: ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି । ନାମାଙ୍କନ ଦାଖଲର ଶେଷ ଦିନରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କଂଗ୍ରେସ ସାଂସଦ ପ୍ରସ୍ତାବକ ରହିଥିଲେ । ଏହା ସହ ଇଣ୍ଡି ମେଣ୍ଟର ଅନ୍ୟ ସାଂସଦମାନେ ମଧ୍ୟ ପ୍ରସ୍ତାବକ ରହିଥିଲେ । ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସମେତ ଅନେକ ବରିଷ୍ଠ ନେତା ନାମାଙ୍କନ ବେଳେ ଉପସ୍ଥିତ ଥିଲେ । ଇଣ୍ଡିମେଣ୍ଟ ପକ୍ଷରୁ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି ।




ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବୁଧବାର ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 

ବିଜେପି ଭେଟେରାନ୍ ତଥା ରାଜ୍ୟପାଳ ବନାମ୍ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଙ୍କୁ ଟକ୍କର ଦେବେ ତେଲେଙ୍ଗାନାର ସୁଦର୍ଶନ । ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍ । ସାଉଥ୍ କ୍ୟାଣ୍ଡିଡେଟ୍ ଦେଇ NDA ଚାଲ୍ କୁ କାଉଣ୍ଟର ପାଇଁ ଇଣ୍ଡିର ଉଦ୍ୟମ । 


ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପ୍ରାର୍ଥୀ ଘୋଷଣା କରିବା ଦିନକ ପରେ, ନିଜ କାର୍ଡ ଖେଳିଛି ଇଣ୍ଡି ମେଣ୍ଟ। ତାମିଲନାଡ଼ୁ ତିରୁପତିର ସି.ପି. ରାଧାକ୍ରିଷ୍ଣନଙ୍କୁ NDA ପ୍ରାର୍ଥୀ କରିବା ପରେ, ସେଇ ଦକ୍ଷିଣ ଭାରତରୁ ନିର୍ଦ୍ଦଳୀୟ ଚେହେରା ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି ଇଣ୍ଡି। କଂଗ୍ରେସ, ଡିଏମକେ, ଟିଏମସି ସମେତ ଇଣ୍ଡି ମେଣ୍ଟର ନେତା ଏକାଠି ଭାବେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାରେ ୧୯୪୬ ଜୁଲାଇ ୮ରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ। 

୭୯ ବର୍ଷୀୟ ତାଙ୍କର ଆଇନ କ୍ୟାରିୟର କଥା ଦେଖିଲେ, ୧୯୭୧ରେ ଆନ୍ଧ୍ରପ୍ରଦେଶ ବାର୍ କାଉନସିଲରେ ଓକିଲ, ୧୯୮୮ରୁ ୧୯୯୦ ଯାଏଁ ହାଇକୋର୍ଟରେ ସରକାରୀ ଓକିଲ, ୧୯୯୦ରେ ୬ ମାସ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ଆଇନ ପରାମର୍ଶଦାତା ଏବଂ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଥିଲେ। ୧୯୯୫ରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ଏବଂ ୨୦୦୫ରେ ଗୌହାଟୀ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିବା ଜଷ୍ଟିସ୍ ସୁଦର୍ଶନ୍, ୨୦୦୭ରୁ ୨୦୧୧ ଯାଏଁ ଥିଲେ ସୁପ୍ରିମକୋର୍ଟର ବିଚାରପତି।...


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.