ଦିଲ୍ଲୀ LGଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ କେଜ୍ରିୱାଲ, ସାଙ୍ଗରେ ଥିଲେ ଭାବି ମୁଖ୍ୟମନ୍ତ୍ରୀ ଆତିଶୀ

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ ୧୭/୯: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ମଙ୍ଗଳବାର ଅପରାହ୍ନରେ ସେ ଉପରାଜ୍ୟପାଳ ଭିକେ ସକ୍‌ସେନାଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଏହି ସମୟରେ ତାଙ୍କ ସହ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ଉପସ୍ଥିତ ଥିଲେ । ଏବେ ଆପ୍‌ର ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ଶାସନ ଭାର ସମ୍ଭାଳିବେ । ସେ ମଧ୍ୟ ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ସେପଟେ ଖୁବଶୀଘ୍ର କେଜ୍ରିୱାଲ ରହୁଥିବା ସିଭିଲ ଲାଇନ୍ସ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳା ଖାଲି କରିବେ । 

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଶୁକ୍ରବାର ଜେଲ୍‌ରୁ ବାହାରିଥିଲେ । ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୨ଦିନ ମଧ୍ୟରେ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ । ଅପରାହ୍ନରେ ଉପରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପୂର୍ବରୁ ଆପ୍‌ର ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ସର୍ବ ସମ୍ମତିରେ କେଜ୍ରିୱାଲ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଦଳର ବରିଷ୍ଠ ନେତା ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହାକୁ ସର୍ବସମ୍ମତିକ୍ରମେ ଘୋଷଣା କରାଯାଇଥିଲା । ପରେ ଆତିଶୀଙ୍କୁ ଧରି ଉପରାଜ୍ୟପାଳଙ୍କ ବାସଭବନରେ ପହଞ୍ଚିଥିଲେ କେଜ୍ରିୱାଲ । ଆଉ ଉପରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିଲେ । 

୨୦୧୩ ଡିସେମ୍ବର ୨୮ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ । ତେବେ ୨୦୧୪ ଫେବ୍ରୁଆରୀ ୧୪ରେ ତାଙ୍କୁ 

ପଦରୁ ଇସ୍ତଫା ଦେବାକୁ ପଡିଥିଲା । କାହିଁକି ନା ବିଧାନସଭାରେ ଜନ ଲୋକପାଳ ବିଲ୍‌ ଉପସ୍ଥାପନ କରିପାରିନଥିଲେ । ଆଉ ଦିଲ୍ଲୀରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ । ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ଆପ୍‌ ୭୦ରୁ ୬୭ଟି ଆସନ ଜିତି ରେକର୍ଡ କରିଥିଲା । ଆଉ ସେବେଠୁ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇ ଆସୁଥିଲେ । ଦୀର୍ଘ ୯ ବର୍ଷ ପରେ ଆଜି ତାଙ୍କୁ ଇସ୍ତଫା ଦେବାକୁ ପଡିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.