ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କ ଲାଗି ‘ଡେଲ୍ଟା’ ଏୟାରଲାଇନ୍ସର କଡ଼ା ନିୟମ, ଅନ୍ତବସ୍ତ୍ରଠୁ ଆରମ୍ଭ କରି ମେକଅପ୍ ପର୍ଯ୍ୟନ୍ତ ସବୁଥିରେ କଟକଣା

Published By : Prameya-News7 Bureau | September 18, 2024 IST

ଆଟଲାଣ୍ଟା ୧୮।୯: ଡେଲ୍ଟା ଏୟାରଲାଇନ୍ସ ନିକଟରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟସ୍ ଙ୍କ ଲାଗି ଏକ ନୂଆ ମେମୋ ଜାରି କରିଛନ୍ତି, ଯେଉଁଥିରେ ସେମାନଙ୍କ ଉପସ୍ଥିତି ସମ୍ପର୍କିତ କଡ଼ା ଦିଶାନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇ ପୃଷ୍ଠାର ମେମୋରେ ଇଣ୍ଟରଭ୍ୟୁ, ଟ୍ରେନିଂ ଓ କ୍ୟାରିୟର ଉନ୍ନତି ଆଣିବା ଲାଗି ଆପିୟରାନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି। ମେମୋରେ ବିଶେଷ କରି ଉଚିତ ‘ଅଣ୍ଡର ଗାର୍ମେଣ୍ଟସ୍’ ପିନ୍ଧିବା ଲାଗି ଜୋର ଦିଆଯାଇଛି। 

କମ୍ପାନୀ ନିର୍ଦ୍ଦେଶରେ କହିଛି ଯେ ଅଣ୍ଡର ଗାର୍ମେଣ୍ଟ ପିନ୍ଧିବା ଅନିବାର୍ଯ୍ୟ ହେଲେ ଏହା ବାହାରକୁ ଦେଖାଯିବା ଉଚିତ ନୁହେଁ। ଏହା ବ୍ୟବସାୟ ଓ ଶାଳିନତା ପାଇଁ ଅପରିହାର୍ଯ୍ୟ ବୋଲି କୁହାଯାଇଛି। ସେହିପରି ମେମୋରେ ଚୁଟି ଓ ମେକଅପ୍ ଲାଗି ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ଚୁଟି ରଙ୍ଗ ପ୍ରାକୃତିକ ହୋଇଥିବା ଦରକାର ବୋଲି କୁହାଯାଇଛି। ଏଥି ଲାଗି ବୋଲ୍ଡ ଓ ହାଇଲାଇଟ୍ ସେଡସ୍ ପାଇଁ ଅନୁମତି ଦିଆଯାଇ ନାହିଁ। ଯଦି ଚୁଟି ଅଧିକ ଲମ୍ବା ତେବେ ପଛପଟକୁ ବାନ୍ଧି ରଖିବା ଦରକାର ବୋଲି କୁହାଯାଇଛି। 

ସେହିପରି ଆଖିପତା ଓ ନଖ ମଧ୍ୟ ସ୍ୱଭାବିକ ଓ ସାଧାରଣ ହୋଇଥିବା ଦରକାର। ନଖରେ କୌଣସି ପ୍ରକାର ଚମକଦାର ଡିଜାଇନର ନେଲ ପେଣ୍ଟ ପାଇଁ ଅନୁମତି ନାହିଁ। ସେହିପରି ଟାଟୁକୁ ଘୋଡାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ନାକ ବ୍ୟତୀତ ଶରୀରର ଅନ୍ୟ କୌଣସି ବିନ୍ଧରେ ଗହଣା ପିନ୍ଧିବାର ଅନୁମତି ନାହିଁ। ତେବେ କାନରେ କେବଳ ଦୁଇଟି ରିଂ ଲଗାଯାଇ ପାରେ ଓ ତାହା ବି ଛୋଟ ହୋଇଥିବା ଦରକାର ବୋଲି ମେମୋରେ କୁହାଯାଇଛି। 

ଡେଲ୍ଟା ଏୟାରଲାଇନ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ  ପୋଷାକ ଓ ଜୋତା ଉପରେ ମଧ୍ୟ ଖାସ୍ ଧ୍ୟାନ ଦେଇଛି। ଡ୍ରେସ୍ ଓ ସ୍କର୍ଟ ଆଣ୍ଠୁ ବା ତା ତଳକୁ ହେବା ଦରକାର। ଫ୍ଲାଇଟ୍‌ରେ ଆଥଲେଟିକ୍ ଜୋତା ଲାଗି ଅନୁମତି ମିଳିବ ନାହିଁ। ଏହାକୁ ବାଦ ଦେଇ ଫ୍ଲାଇଟ୍ ଆଟେଣ୍ଡାଣ୍ଟସଙ୍କୁ ବନ୍ଦ ପାଦର ଫ୍ଲାଟ, ହିଲସ୍ ଅଥବା ସ୍ଲିଂ ବ୍ୟାକ୍ ଜୋତା ପିନ୍ଧିବାକୁ କୁହାଯାଇଛି। ଡେଲ୍ଟା ଏୟାର ଲାଇନ୍ସ ତାଙ୍କ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ତାଙ୍କ ପେଷାରେ ସବୁ ସମୟରେ ଶାଳୀନତା ରଖନ୍ତୁ ବୋଲି ଆଶାବ୍ୟକ୍ତ କରିଛି। 

ଇଣ୍ଟରଭ୍ୟୁ କାଳରେ ଚୁଇଂଗମ, ଅପଶବ୍ଦ ବ୍ୟବହାର, ଫୋନ ଅଥବା ଇୟର ବଡକୁ ବର୍ଜିତ କରାଯାଇଛି। ଏହି ନୂଆ ମେମୋ ଫ୍ଲାଇଟ୍ ଆଟେଣ୍ଡାଣ୍ଟସ୍ ଙ୍କୁ ସେମାନଙ୍କ ପେଷାଦାର ଛବିକୁ ଅକ୍ଷୁର୍ଣ୍ଣ ରଖିବା ସହ ଏୟାରଲାଇନ୍ସର ବ୍ରାଣ୍ଡିଂ ଓ ଗ୍ରାହକଙ୍କ ସହିତ ସୁଖଦ ଅନୁଭବ ସୁନିଶ୍ଚିତ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.