ଚରମ୍ପାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା : ଘଟଣାସ୍ଥଳରେ ଡିଆଇଜିଙ୍କ ତନାଘନା

Published By : Prameya-News7 Bureau | June 22, 2025 IST

ଭଦ୍ରକ ୨୨।୬: ଭଦ୍ରକ ସହରର ଚରମ୍ପା ଠାରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । ପୂର୍ବାଞ୍ଚଳ ଡିଆଇଜି ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଯାଞ୍ଚ କରିଛନ୍ତି । ଶନିବାର ଚରମ୍ପା ଛକ ନିକଟରୁ କିଛି ଦୂରରେ ବ୍ୟବସାୟୀ ବିଦ୍ୟାଧର ପାତ୍ରଙ୍କୁ କେତେକ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ସ୍ଥାନୀୟ ଲୋକେ ବିଦ୍ୟାଧରଙ୍କୁ ଗୁରୁତର ଭାବେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବିଦ୍ୟାଧରଙ୍କ ଦେହରୁ ଅପରେସନ ପରେ ଗୁଳି ବାହାର କରାଯାଇଛି ବୋଲି ସୂଚନା ମିଳିଛି ।

ତେବେ ଘଟଣା ପରେ ପୂର୍ବାଞ୍ଚଳ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ, ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କ ସହ ଅନ୍ୟ ଅଧିକାରୀ ମାନେ ଗୁଳିକାଣ୍ଡ ହୋଇଥିବା ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି । ବିଦ୍ୟାଧରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ଡିଆଇଜି । ଏବେ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ସିସିଟିଭି ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚଢ଼ାଉ ଚାଲିଥିବା କହିଛନ୍ତି ଡିଆଇଜି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ଅପରାଧୀ ଙ୍କୁ ପୋଲିସ ଧରିବ ବୋଲି କହିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଭଦ୍ରକ ସହରର ଚରମ୍ପା ଛକ ନିକଟରେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଥିଲା । ଗୁଳିମାଡର ଶିକାର ହୋଇଥିଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର । ଚରମ୍ପା ସ୍ଥିତ ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ କେତେକ ଦୁର୍ବୃତ୍ତ ଆସି ଗୁଳି ଫୁଟାଇଥିଲେ । ଲୁଟ୍ ଉଦ୍ଦେଶ୍ୟରେ ବିଦ୍ୟାଧରଙ୍କୁ ଗୁଳି ମାଡ଼ କରାଯାଇଥିବା ସନ୍ଦେହ କରାଯାଉଥିଲା । ପରେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ । ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା । ବାଇକରେ ଯାଉଥିବା ବିଦ୍ୟାଧର ରାସ୍ତାରେ ଟଳି ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଭାବେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

You Can Read:

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ, ଠେଙ୍ଗାରେ ପିଟି ପିଟି ବାପାଙ୍କୁ ହତ୍ୟା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.