ଦୀଘା ଜଗନ୍ନାଥ ମନ୍ଦିର ଏକ ପର୍ଯ୍ୟଟନସ୍ଥଳୀ ହୋଇପାରେ କିନ୍ତୁ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବନି : ବରିଷ୍ଠ ସେବାୟତ

Published By : Prameya-News7 Bureau | May 01, 2025 IST

ପୁରୀ ୧।୫: ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖାଦେଇଛି । ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା । କିନ୍ତୁ ଜଗନ୍ନାଥ ଧାମ ନାମକରଣ କରିବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ଶ୍ରୀମନ୍ଦିର ସେବାୟତ ମାନେ ଏହାର ତୀବ୍ର ବିରୋଧ କରିଛନ୍ତି । ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହ ଓଡ଼ିଶାର ସମ୍ପର୍କ ଭଲ ରହି ଆସିଛି। କିନ୍ତୁ ଏବେ ଦୀଘାରେ ନୂତନ ଭାବେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ବିବାଦ ଦେଖା ଦେଇଛି। ପୁରୀର କିଛି ଦଇତାପତି ସେବାୟତ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଏହି ବିବାଦକୁ ବଢ଼ାଉଛି। କେତେବେଳେ ଆଳୁ ତ   ଆଉ କେତେବେଳେ ରସଗୋଲା ପ୍ରସଙ୍ଗକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗି ରହିଛି। ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ ବୋଲି କୁହାଯାଇପାରିବ ନାହିଁ। ଜଗନ୍ନାଥ ଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି। ଏଥିସହ ପଥର ମୂର୍ତ୍ତି ସ୍ଥାପିତ ହୋଇପାରିବ ନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି। ପ୍ରତ୍ୟେକ ଓଡିଆଙ୍କ ସହ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ଗବେଷକ ଏଥିରେ ହସ୍ତକ୍ଷେପ କରିବାକୁ ସେବାୟତ ଦୃଢ଼ ଦାବୀ କରିଛନ୍ତି। ସେପଟେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ରୋଷ କାର୍ଯ୍ୟ କରିବା କିମ୍ବା ସେଥିରେ ସହଯୋଗ କଲେ ସୁଆର ମହାସୁଆର ନିଯୋଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଆର ମହାସୁଆର ସଦସ୍ୟ ଓ କର୍ମଚାରୀ ଙ୍କୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିବା ବେଳେ ପୁଷ୍ପାଳକ ନିଯୋଗ ପକ୍ଷରୁ ମଧ୍ୟ ସମାନ ଧରଣର ନିର୍ଦ୍ଦେଶନାମା ଜାରୀ ହୋଇଥିଲା।

You Can Read:

ରାଜ୍ୟରେ ମେଟ୍ରୋ ଚଳାଚଳ ପାଇଁ ନୂଆ ଡିପିଆର, ବିମାନବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ବସ୍‌ଷ୍ଟାଣ୍ଡ ଓ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.