ଭୁବନେଶ୍ୱର: ୨୦୩୬ ସୁଦ୍ଧା ଓଡ଼ିଶା ଅର୍ଥନୀତି ୫୦୦ ମିଲିୟନ୍ ଡଲାରରେ ପହଞ୍ଚିବାର ଲକ୍ଷ୍ୟ ରହିଥିବା ବେଳେ ଏଥିପାଇଁ ସବୁ କ୍ଷେତ୍ରରେ ବିକାଶ ଆଣିବା ନିମନ୍ତେ ଡିଜିଟାଲ୍ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଏକ ଜାତୀୟ ସେମିନାରରେ ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଏହି ଲକ୍ଷ୍ୟ ପୂରଣ ନିମନ୍ତେ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି, ଯାହା ନିମନ୍ତେ ଡିଜିଟାଲ୍ ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି କହିଛନ୍ତି ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ୟୁସିସିଆଇଏଲ୍)ର ସଭାପତି ଡକ୍ଟର ପ୍ରବୋଧ ମହାନ୍ତି ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ପକ୍ଷରୁ ଆୟୋଜିତ ଏହି ଏକ ଦିବସୀୟ ସେମିନାରର ପ୍ରସଙ୍ଗ ରହିଥିଲା ‘ନାଭିଗେଟିଂ ଦ ଫ୍ୟୁଚର୍ ଅଫ୍ ସଷ୍ଟେନେବଲ ବିଜନେସ୍ ଡେଭଲପ୍ମେଣ୍ଟ ଥ୍ରୁ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍’ । ଏହି ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମହାନ୍ତି ନିଜର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ଖଣିଜ ସମ୍ପଦର ଅନେକ ଗୁରୁତ୍ୱ ରହିଛି । ରାଜ୍ୟ ସରକାର ଏ କ୍ଷେତ୍ରରେ ଡିଜିଟାଲ୍ ପରିବର୍ତ୍ତନକୁ ବିନିଯୋଗ କରୁଥିବା ସେ କହିଥିଲେ ।
ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ଏବଂ ବ୍ଲକ୍ ଚେନ୍ର ଡିଜିଟାଲ୍ ପରିବର୍ତନ କ୍ଷେତ୍ରରେ ପ୍ରଭାବ ରହିଥିବା କହି ସେ ଏହା ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଡାକ୍ତର ମହାନ୍ତି ପ୍ରକାଶ କରିଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍ କ୍ଲଷ୍ଟର୍ (ବିସିକେଆଇସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ନମ୍ରତା ମିଶ୍ର, ବାଟୋଇର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ରଥ ଏବଂ ଆଇବିସିଏସ୍ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ବକ୍ତବ୍ୟ ରଖିଥିଲେ ।
ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇବିସିଏସ୍ର ଏକାଡେମିକ ମୁଖ୍ୟ –ଏମ୍ବିଏ ପ୍ରୋଗ୍ରାମ୍ ପ୍ରଫେସର ଦୁର୍ଯ୍ୟୋଧନ ଜେନା ଏବଂ ଆସୋସିଏଟ୍ ପ୍ରଫେସର ଡକ୍ଟର ଆଶିଷ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ । ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନ୍ଜିତ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ଡକ୍ଟର ମିଶ୍ର କହିଥିଲେ ଯେ ଭାରତରେ ଡିଜିଟାଲ୍ ପରିବର୍ତନ ନିମନ୍ତେ ସମୟ ଉପସ୍ଥିତ । ସବୁ ବିଷୟ ଉପରେ ଗୁରୁତ୍ୱ ଦେଇ ବିକାଶ ସାଧନ କରିବା ଜରୁରୀ ବୋଲି ସେ କହିଥିଲେ । ଭାରତରେ ଗବେଷଣାର ଦୃଶ୍ୟପଟ୍ଟ ବର୍ତ୍ତମାନ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି । ଛାତ୍ରଛାତ୍ରୀମାନେ, ଯେଉଁମାନେ କି ପରିବର୍ତ୍ତନର ବାର୍ତ୍ତାବହ, ସେମାନେ ବର୍ତ୍ତମାନ ଉଦ୍ୟୋଗ ପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଉଛି ।
ଡିଜିଟାଲ୍ ପରିବର୍ତନ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ଭାରତ ଉପରେ ଆଖି ରଖିଥିବା ବେଳେ ଓଡ଼ିଶାରେ ଷ୍ଟାର୍ଟ ଅପ୍ ଗୁଡ଼ିକ ନୀରବରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ ଭଳି ଉପକରଣ ବ୍ୟବହାର କରି ଆଗକୁ ବଢ଼ି ଚାଲିଛନ୍ତି ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେ, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସର ଆବିର୍ଭାବ ଫଳରେ କର୍ମଯୋଗାଣ କ୍ଷେତ୍ରରେ ଅସମତା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଥିବା ବେଳେ ଏହା ଅଧିକ ସଂଖ୍ୟାରେ ନୂତନ କାର୍ଯ୍ୟ ସୃଷ୍ଟି କରିବ । ଛାତ୍ରଛାତ୍ରୀମାନେ ଏହି ପରିବର୍ତ୍ତିତ ପରିସ୍ଥିତିରେ ଅଧ୍ୟୟନ ନିମନ୍ତେ ସିଲାବସ ଉପରେ ଦୃଷ୍ଟି ନିବଦ୍ଧ ନ କରି ସେମାନେ କ’ଣ ଶିକ୍ଷା କରିବା ଆବଶ୍ୟକ ସେ ବିଷୟରେ ଚିନ୍ତା କରିବା ପ୍ରୟୋଜନ ।