ମ୍ୟୁଜିକ DJର ଲାଇଟ ବିଗାଡି ଦେଲା ଆକାଶରେ ଉଡୁଥିବା ବିମାନର ସନ୍ତୁଳନ, ଅଳ୍ପକେ ବର୍ତ୍ତିଲେ ୧୭୨ ଯାତ୍ରୀ

Published By : Prameya-News7 Bureau | April 18, 2025 IST

ପାଟନା ୧୮।୨: ବିହାର ରାଜଧାନୀ ପାଟନାରେ ଏକ ବିମାନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। କୁହାଯାଉଛି ଏକ ବରଯାତ୍ରୀରେ ଯାଉଥିବା ଡିଜେର ଲେଜର ଲାଇଟ୍ ପୁରା ବିମାନ ଓ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଜୀବନକୁ ସଂକଟରେ ପକାଇ ଦେଇଥିଲା। ଘଟଣା ସେତେବେଳେ ହୋଇଥିବା ଯେତେବେଳେ ପାଟନା ବିମାନ ବନ୍ଦରରେ ବିମାନ ଅବତରଣ କରିବାକୁ ଯାଉଥିଲା। ତେବେ ପାଇଲଟ ତାଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ବିମାନ ଓ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି। 

ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଥିଲା। ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋର ଏକ ଫ୍ଲାଇଟ୍ ପୁଣେରୁ ପାଟନା ବାହାରିଥିଲା। ବିମାନଟି ପାଟନା ଏୟାରପୋର୍ଟରେ ଲ୍ୟାଣ୍ଡ କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ବିମାନଟି ଲ୍ୟାଣ୍ଡ କରୁଥିବା ବେଳେ ଏୟାରପୋର୍ଟରୁ କିଛି ଦୂରରେ ଏକ ବରଯାତ୍ରୀ ଯାଉଥିଲା। ବରଯାତ୍ରୀ ବ୍ୟାଣ୍ଡ ପାର୍ଟିରେ ଥିବା ଡିଜେରୁ ସେହିପରି ଲେଜର ଲାଇଟ ବାହାରୁଥିଲା ଯେପରି ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)ଙ୍କ ଲାଇଟ୍। ଏହା ମଝି ଆକାଶରେ ବିମାନର ସନ୍ତୁଳନକୁ ବିଗାଡି ଦେଇଥିଲା। 

କୁହାଯାଉଛି ସେତେବେଳେ ବିମାନରେ ୧୭୨ ଜଣ ଯାତ୍ରୀ ଥିଲେ। ତେବେ ପାଇଲଟ ତାଙ୍କ ବୁଦ୍ଧିମତାରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରାଇଥିଲେ। ବିମାନ ଅବତରଣ କରିବା ପରେ ପାଇଲଟ ତୁରନ୍ତ ଏ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ଅନୁସାରେ କର୍ତ୍ତୃପକ୍ଷ ଏୟାରପୋର୍ଟ ପୋଲିସକୁ ସୂଚନା ଦେଇଥିଲା। ତେବେ ଏୟାରପୋର୍ଟ ପୋଲିସ ପହଞ୍ଚିବା ବେଳେକୁ ସେଠାରୁ ବରାଯାତ୍ରୀ ଚାଲିଯାଇସାରିଥିଲେ। 

କୁହାଯାଉଛି ଡିଜେର ଲେଜର ଲାଇଟ୍ ଠିକ୍ ସେହିପରି ଥିଲା ଯେପରି ଏଟିସିଙ୍କ ଲାଇଟ୍। ଡିଜେର ଲାଇଟ୍ ସେହି ସମୟରେ ଜଳି ଉଠିଥିଲା ଯେତେବେଳେ ବିମାନ ଲ୍ୟାଣ୍ଡ କରିବା ବେଳେ ଏଟିସି ଜଳାନ୍ତି। ତେବେ ଏହି ପୁରା ଘଟଣାରେ ପାଇଲଟ କେଉଁଟି ଏଟିସିର ଓ କେଉଁଟି ଡିଜେର ଲାଇଟ୍ ତାହା ନିଜେ ନିର୍ଦ୍ଧାରଣ କରି ବିମାନକୁ ଅବତରଣ କରାଇଥିଲେ। ନଚେତ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିବା ନିଶ୍ଚିତ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.