ମହାକୁମ୍ଭ ନଗରୀ ନିର୍ମାଣ କରିଥିବା ଟେଣ୍ଟ ହାଉସ୍ କମ୍ପାନୀ ଗୋଦାମରେ ନିଆଁ, ଜଳିଗଲା ଲକ୍ଷଲକ୍ଷ ଟଙ୍କାର କାଠ ବାଉଁଶ

Published By : Prameya-News7 Bureau | April 19, 2025 IST

ପ୍ରୟାଗରାଜ ୧୯।୪: ପ୍ରୟାଗରାଜ ମହାକୁମ୍ଭରେ ତମ୍ବୁ ସହର ନିର୍ମାଣ କରିଥିବା ଟେଣ୍ଟ ହାଉସ୍ କମ୍ପାନୀ ଗୋଦାମରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ସଙ୍ଗମ କ୍ଷେତ୍ରରେ ହୋଇଛି। ଏହି ନିଆଁ ଏତେ ଭୟଙ୍କର ଭାବେ ଲାଗିଛି ଯେ ୩ କିଲୋମିଟର ଦୂରକୁ ଏହାର ଶିଖା ଦେଖାଯାଉଛି। ଘଟଣାସ୍ଥଳରେ ଦମକଳ ବିଭାଗର ୬ଟି ଦମକଳଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। କୁହାଯାଉଛି ପ୍ରାୟ ୩ଲକ୍ଷ ବାଉଁଶ ବଲ୍ଲା ଓ ଟେଣ୍ଟ କପଡାରେ ନିଆଁ ଲାଗିଛି। 

ଉଲ୍ଲେଖଯୋଗ୍ୟ ଯେ ମହାକୁମ୍ଭରେ ଟେଣ୍ଟ ଲଗାଇବାର କାମ ଲଲ୍ଲୁଜୀ ଆଣ୍ଡ ସନସ୍ କମ୍ପାନୀକୁ ଦିଆଯାଇଥିଲା। ମହାକୁମ୍ଭ ଶେଷ ହେବା ପରେ ଏବେ ତମ୍ବୁ ସବୁ ଖୋଲା ଯାଇ ସଙ୍ଗମ କ୍ଷେତ୍ରରେ ଅସ୍ଥାୟୀ ଗୋଦାମରେ ଜମା କରାଯାଇଛି। ଏଥିରେ ଶନିବାର ସକାଳେ ନିଆଁ ଲାଗିଯାଇଥିବାର ଦେଖାଯାଇଥିଲା। ନିଆଁ ଲାଗିବା ଘଟଣା ଜଣାପଡିବାମାତ୍ରେ ଦମକଳ ବିଭାଗକୁ ଖବର ଦିଆଯାଇଥିଲା। ୬ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ହେଁ ନିଆଁ ଅସମ୍ଭାଳ ହୋଇପଡିଛି। 


ଲଲ୍ଲୁଜୀ ଆଣ୍ଡ ସନସ୍ କମ୍ପାନୀ ଗତ ୧୦୪ ବର୍ଷ ହେଲା କୁମ୍ଭମେଳାରେ ତମ୍ବୁ ଲଗାଇ ଆସୁଛି। ଏଣୁ ଏହି କମ୍ପାନୀକୁ କୁମ୍ଭ ମେଳାର ବିଶ୍ୱକର୍ମା ବୋଲି ମଧ୍ୟ କୁହାଯାଏ। ଲଲ୍ଲୁଜୀ ଆଣ୍ଡ ସନସ୍ ର ପ୍ରୟାଗରାଜ ପରେଡ ଗ୍ରାଉଣ୍ଡ, ରାମବାଗ, ଝୁଁସୀ ଓ ନୈନୀ ସହିତ ସାରା ଦେଶରେ ଗୋଦାମ ଓ କାର୍ଯ୍ୟାଳୟ ରହିଛି। କମ୍ପାନୀ ହରିଦ୍ୱାର, ଉଜ୍ଜୈନ ଓ ନାସିକରେ ହେଉଥିବା ମେଳାରେ ମଧ୍ୟ ଟେଣ୍ଟ ବାନ୍ଧି ଥାଏ। କମ୍ପାନୀର ଦିଲ୍ଲୀ, ଉଜ୍ଜୈନ, ହରିଦ୍ୱାର ଓ ଅହମଦାବାଦରେ ମଧ୍ୟ ସେଟଅପ ଅଛି।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.