ସୀମାରେ ବାଂଲାଦେଶର ଚକ୍ରାନ୍ତ, ଚୁକ୍ତି ଉଲ୍ଲଂଘନ କରି ତ୍ରିପୁରା ବୋର୍ଡରରେ ନିର୍ମାଣ କରୁଛି ନଦୀ ବନ୍ଧ

Published By : Prameya-News7 Bureau | April 20, 2025 IST

NDTV

ନୂଆଦିଲ୍ଲୀ: ଶେଖ୍ ହସିନା ସରକାର ପତନ ପରଠୁ ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତା ବଢିଚାଲିଛି । ବାଂଲାଦେଶର ଅନ୍ତରୀଣ ୟୁନୁସ ସରକାରର ବିଭିନ୍ନ ନିଷ୍ପତ୍ତି ଦୁଇ ଦେଶର ସମ୍ପର୍କକୁ ଖରାପ କରୁଛି । ଏହାରି ଭିତରେ ବାଂଲାଦେଶ ଦକ୍ଷିଣ ତ୍ରିପୁରା ନିକଟରେ ମୁହୁରୀ ନଦୀରେ ଏକ ବନ୍ଧ ନିର୍ମାଣ କରିବାକୁ ଯାଉଛି । ଯାହା ସୀମା ସୁରକ୍ଷା ଲାଗି ଏକ ବଡ଼ ବିପଦ ହେବା ସହ ଭାରତର ସୀମାନ୍ତ ରାଜ୍ୟରେ ବନ୍ୟାର କାରଣ ମଧ୍ୟ ହୋଇପାରେ ।

ଶନିବାର ବେଲୋନିଆରୁ ସିପିଏମ୍ ବିଧାୟକ ଦୀପଙ୍କର ସେନ୍ ଏହି ମାମଲାରେ ଗୃହ ମନ୍ତ୍ରଣାଳୟ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି । ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ସେ କହିଛନ୍ତି, ଏହି ନଦୀ ବନ୍ଦ ପ୍ରାୟ ୧.୫ କିଲୋମିଟର ଦୀର୍ଘ ଓ ୨୦ ଫୁଟ୍ ଗଭୀର ହେବ । 

ସିପିଏମ୍ ନେତା କହିଛନ୍ତି, 'ଇଣ୍ଡିରା-ମୁଜିବ ବୁଝାମଣା ଅନୁସାରେ, ଜିରୋ ଲାଇନର ୧୫୦ ୟାର୍ଡ ମଧ୍ୟରେ ଦୁଇ ଦେଶ କୌଣସି ନିର୍ମାଣ କରିପାରିବେ ନାହିଁ । କିନ୍ତୁ ପ୍ରସ୍ତାବିତ ବନ୍ଧର ନିର୍ମାଣ ସ୍ଥାନ ଜିରୋ ଲାଇନ୍ ଠାରୁ ମାତ୍ର ୫୦ ୟାର୍ଡ ଦୂର, ଏପରିକି କିଛି ସ୍ଥାନରେ ଏହାର ଦୂରତା ୧୦ ୟାର୍ଡଠାରୁ ବି କମ ରହିଛି । ଏହି ବୁଝାମଣା ଯୋଗୁଁ ଦକ୍ଷିଣ ତ୍ରିପୁରାରେ ଅନେକ ଉଠାଜଳସେଚନ ପ୍ରକଳ୍ପକୁ ବନ୍ଦ କରାଯାଇଥିଲା ।'

ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ କହିଛି, 'ଆମେ ଏହି ପ୍ରସଙ୍ଗରେ ବିସ୍ତୃତ ରିପୋର୍ଟକୁ ଆପେକ୍ଷା କରିଛୁ । ସ୍ଥାନୀୟ ପୋଲିସ ମଧ୍ୟ ଏହି ପ୍ରସଙ୍ଗରେ ତଦନ୍ତ କରିବ ।' ସେପଟେ ଦକ୍ଷିଣ ତ୍ରିପୁରା ଏସପି ମୌର୍ଯ୍ୟ କ୍ରିଷ୍ଣା ସି ସେନ କହିଛନ୍ତି, 'ଏହି ମାମଲା ଆମ ଦଷ୍ଟିକୁ ଆସିଛି ଓ ଏହା ଉପରେ ନଜର ରଖିଛୁ । ତେବେ ବର୍ତ୍ତମାନ ସମୟରେ ଏହା ଉପରେ ଚିନ୍ତା କରିବାର କୌଣସି କାରଣ ନାହିଁ ।' 

ମୁହୁରୀ ନଦୀର ଉତ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ନଗର ଓ ଇଶାନ ଚନ୍ଦ୍ର ନଗର ଗ୍ରାମପଞ୍ଚାୟତର ପ୍ରାୟ ୫୦୦ ପରିବାର ବସବାସ କରନ୍ତି । ଏହି ବନ୍ଦ ନିର୍ମାଣ ହେବା ଦ୍ୱାରା ଉଭୟ ମୌସୁମୀ ଏବଂ ଅଣମୌସୁମୀ ସମୟରେ ବନ୍ୟା ହେବାର ଆଶଂକା ରହିଛି । ମୁହୁରୀ ନଦୀ ନକଟରେ ଥିବା ବେଲୋନିଆ ସହରରେ ମଧ୍ୟ ବନ୍ୟା ଆସିପାରେ । ଏହା ପୂର୍ବରୁ ରାଜ୍ୟର ଉନାଉକୋଟି ଜିଲ୍ଲାର କୈଳାଶନଗରରେ ବାଂଲାଦେଶ ପଟୁ ଏକ ବନ୍ଦ ନିର୍ମାଣକୁ ନେଇ ବିବାଦ ତେଜିଥିଲା । ଯାହା ରାଜ୍ୟରେ ବନ୍ୟା ଓ ବାହ୍ୟ ବିପଦ ବଢାଇବା ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ବୀରଜିତ୍ ସିହ୍ନା କହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.