ବେଙ୍ଗାଲୁର ଏୟାରପୋର୍ଟରେ ଛିଡା ହୋଇଥିବା ପ୍ଲେନ୍ କୁ ଧକ୍କା ଦେଲା ମିନିବସ୍

Published By : Prameya-News7 Bureau | April 20, 2025 IST

ବେଙ୍ଗାଲୁରୁ ୨୦।୪: କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ଅଭାବନୀୟ ଘଟଣା। ଏୟାରପୋର୍ଟରେ ଛିଡା ହୋଇଥିବା ପ୍ଲେନ୍ କୁ  ଏକ ମିନିବସ୍ ଧକ୍କା ଦେଇଛି। ଫଳରେ ମିନିବସ୍ ର ଛାତ ନଷ୍ଟ ହୋଇଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ପ୍ଲେନ୍ ଟି ଇଣ୍ଡିଗୋ ଏୟାରଲାଇନ୍ସ ଥିଲା ଓ ଦୁର୍ଘଟଣା କାଳରେ ତାହା ରନୱେ ଉପରେ ଛିଡା ହୋଇଥିଲା। ବସ୍ ଟି ପ୍ଲେନ୍ ର ସମ୍ମୁଖ ଭାଗରେ ଧକ୍କା ଲାଗିଛି। ତେବେ ଦୁର୍ଘଟଣା କାଳରେ ବିମାନଟି ଅପରେସନାଲ ନଥିଲା। ଏଣୁ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। 


ରିପୋର୍ଟ ଅନୁସାରେ ମିନିବସ୍ ଟି କୌଣସି ଥାର୍ଡ ପାର୍ଟି ଏଜେନ୍ସୀର ଥିଲା। ଇଣ୍ଡିଗୋ ବିମାନଟି ପାର୍କିଂରେ ଛିଡା ହୋଇଥିଲା। ମିନିବସ୍ ଟି ସେହି ସ୍ଥାନ ଦେଇ ଯାଉଥିବା ବେଳେ ଏହାର ସନ୍ତୁଳନ ହରାଇଥିଲା ଓ ପ୍ଲେନ୍‌ ସମ୍ମୁଖ ଭାଗର ତଳ ଅଂଶରେ ଘଷି ହୋଇଯାଇଥିଲା। ଏଥିରେ ମିନିବସ୍ ର ଛାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବେଙ୍ଗାଲୁରୁ ଏୟାରପୋର୍ଟ ପ୍ରଶାସନ ଏ ନେଇ ଦେଇଥିବା ସୂଚନାରେ ଦୁର୍ଘଟଣା ଖବର ପାଇ ସମସ୍ତେ ସତର୍କ ହୋଇଯାଇଥିଲେ। ଏଥି ପାଇଁ ସବୁ ଜରୁରି ପ୍ରୋଟକଲ ପାଳନ କରାଯାଉଛି। 

 

ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଯାତ୍ରୀ, ବିମାନ ଓ ଏୟାରଲାଇନ୍ସ ଷ୍ଟାଫଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ଆମେ ମାମଲାର ଯାଞ୍ଚ କରୁଛୁ। ଦୁର୍ଘଟଣାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି ଯେ ଘଟଣା ଉପରେ ଆମେ ନଜର ରଖି ରହିଛୁ। ବେଙ୍ଗାଲୁରୁ ଏୟାରପୋର୍ଟ ପାର୍କିଂରେ ଛିଡା ହୋଇଥିବା ପ୍ଲେନକୁ ଏକ ଥାର୍ଡ ପାର୍ଟି ବାହନ ଧକ୍କା ଦେଇଛି। ମାମଲାର ଏବେ ତଦନ୍ତ କରାଯାଉଛି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ହେବ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.