ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହୋଇଛି ଟ୍ରମ୍ପ ଯୁଗ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପ । ସେ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି । ଟ୍ରମ୍ପ ପଦ ଭାର ସମ୍ଭାଳିବା ସହିତ ୧୦ ବଡ଼ ଆଦେଶ ଜାରି କରିଛନ୍ତି । ଏଥିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHO ସଦସ୍ୟତାରୁ ଆମେରିକା ବାହାର ହେବାକୁ ଆଦେଶ ସାମିଲ୍ ରହିଛି ।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଓବାଲ ଅଫିସରେ ପହଞ୍ଚିଥିଲେ । ସେଠାରେ ଅନେକ କାର୍ଯ୍ୟକାରୀ ଆଦେଶରେ ହସ୍ତାକ୍ଷର କରିଛନ୍ତି । ଏହି ସମୟ ସେ ବାଇଡେନ ସରକାର ଦ୍ବାରା ଜାରି ହୋଇଥିବା ୭୮ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି । ଏହା ସହିତ ପ୍ୟାରିସ୍ ଜଳବାୟୁ ବୁଝାମଣାରୁ ଆମେରିକାକୁ ବାହାର ହେବାକୁ ଘୋଷଣା କରିଛନ୍ତି । ବିଭିନ୍ନ ଆଦେଶରେ ଦସ୍ତାକ୍ଷର କରିବା ପୂର୍ବରୁ ବାଇଡେନ ସରକାର ଉପରେ ବର୍ଷିଥିଲେ ଡୋନାଲ୍ଡ ଟ୍ରମ୍ପ । ସେ କହିଥିଲେ ଆଜି ଶପଥ ଗ୍ରହଣ ସହିତ ପ୍ରଥମ କାର୍ଯ୍ୟ ଦିବସରେ ପୂର୍ବ ସରକାରଙ୍କ ବିନାଶକାରୀ ନିଷ୍ପତ୍ତିକୁ ରଦ୍ଦ କରୁଛି । ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ ସରକାର ଆମେରିକା ଇତିହାସର ସବୁଠୁ ଖରାପ ସରକାର ବୋଲି ଡ୍ରମ୍ପ କହିଥିଲେ ।
କେଉଁ କେଉଁ ଆଦେଶ ଜାରି:-
୧. ଅବୈଧ ପ୍ରବେଶ ରୋକିବାକୁ ଦକ୍ଷିଣ ସୀମାରେ ଜରୁରି ପରିସ୍ଥିତି ଜାରି, ଅନୁପ୍ରବେଶ ରୋକିବାକୁ ମୁତୟନ ହେବେ ସୈନ୍ୟ
୨. ୨୦୨୧ ଜାନୁଆରୀ ୬ ତାରିଖରେ ଆମେରିକା କ୍ୟାପିଟଲ ହିଲ ହମଲାରେ ୧୫ଶହ ଦୋଷୀ ରାଜକ୍ଷମା
୩. ରିମେନ୍ ଇନ୍ ମେକ୍ସିକୋ ପଲିସି ଲାଗୁ କରାଯିବ
୪. ଧରିବା ଓ ଛାଡିବା ବ୍ୟବସ୍ଥାର ଉଚ୍ଛେଦ
୫. ବିଦେଶୀ ଆତଙ୍କୀ ସଙ୍ଗଠନ କ୍ରିମିନାଲ କାର୍ଟେଲ ଘୋଷିତ ହେବେ
୬. ଆମେରିକାରେ ବିଦେଶୀ ଗୋଷ୍ଠୀର ଅନ୍ତ ଘଟାଇବାକୁ ବିଦେଶୀ ଶତ୍ରୁ ଅଧିନିୟମ ୧୯୭୮ ଲାଗୁ କରାଯିବ
୭. ଦେଶରେ ତୃତୀୟ ଲିଙ୍ଗ ବ୍ୟବସ୍ଥା ଉଚ୍ଛେଦ, କେବଳ ୨ଟି ଲିଙ୍ଗ ପୁରୁଷ ଓ ମହିଳା ରହିବେ
୮. ମେକ୍ସିକୋ ଉପସାଗରର ନାମ ବଦଳାଇ ଆମେରିକା ଉପସାଗର କରାଯିବ
୯. ପାନାମା କେନାଲକୁ ପାନାମା ଠାରୁ ଫେରାଇ ଅଣାଯିବ
୧୦. ଅନ୍ୟ ଦେଶ ଉପରେ ଟିକସ ବସାଇବାକୁ ଏକ୍ସଟର୍ନାଲ ରେଭେନ୍ୟୁ ସର୍ଭିସର ଗଠନ