ଭୁବନେଶ୍ଵର: ଦୀଘାକୁ ‘ଜଗନ୍ନାଥ ଧାମ’ ନାମକରଣ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗରେ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡ଼ିଶାରେ ନେତାଙ୍କଠୁ ନେଇ ସାଧାରଣ ଜନତା ଖୁବ୍ ସମାଲୋଚନା କରିଛନ୍ତି। ଏପରିକି ମମତାଙ୍କୁ ପୁରୀରେ ପାଦ ରଖିବାକୁ ଦେବୁ ନାହିଁ ବୋଲି ମଧ୍ୟ ପୁରୀରୁ ଉଠିଛି ତୀବ୍ର ସ୍ଵର। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦୀଘାରେ ନୂତନ ଭାବରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ "ଜଗନ୍ନାଥ ଧାମ" ନାମକରଣ କରାଯିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
Also read: ମମତା ବାନାର୍ଜୀ ପାଗଳ ପରି ପ୍ରଳାପ କରୁଛନ୍ତି, ସାଢ଼େ ଚାରି କୋଟି ଲୋକେ ତାଙ୍କୁ ବିରୋଧ କରିବେ : ପଦ୍ମଲୋଚନ ପଣ୍ଡା
ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାରି ଧାମରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ। ଦୀଘାକୁ ଜଗନ୍ନାଥ ଧାମ କୁହା ନ ଯାଉ। ପୁରୀ ଧାମ ସହ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ଅଟେ ପୁରୀ। ଦୀଘାକୁ ଜଗନ୍ନାଥ ଧାମ କହି ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତ କରାନଯାଉ। ଦୀଘାରେ ଧାମ ଶବ୍ଦର ବ୍ୟବହାର ନ ହେଉ। ଆନ୍ତଃରାଜ୍ୟ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖାଯାଉ।
"ଶ୍ରୀ ଜଗନ୍ନାଥ ଧାମ" ଶବ୍ଦଟି ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ, ଯାହା ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ - ପୁରୀ, ଓଡିଶା ସହିତ ଅନନ୍ୟ ଭାବରେ ଜଡିତ। ପୁରୀର ସ୍ୱତନ୍ତ୍ର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ ନ ଦେବା ପାଇଁ ଦୀଘା ମନ୍ଦିର ପାଇଁ ଏହି ପବିତ୍ର ନାମ ବ୍ୟବହାର ଉପରେ ପୁନର୍ବିଚାର କରିବାକୁ ପଶ୍ଚିମବଙ୍ଗକୁ ଅନୁରୋଧ କରୁଛି ବୋଲି ଏକ୍ସରେ ଲେଖିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ଧାମ ଲେଖାକୁ ନେଇ ନେତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ ସମସ୍ତେ ବିରୋଧ କରିଥିଲେ। ପ୍ରତିବାଦର ସ୍ବର ଉଠିଲା।ହେଲେ ଏତେ ବିବାଦ ପରେ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଜିଦଖୋର୍ ମନୋଭାବରୁ ହଟିନାହାନ୍ତି। ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରେ ରାତା ରାତି ପଶ୍ଚିମବଙ୍ଗ ପ୍ରଶାସନ ଜଗନ୍ନାଥ ଧାମ ଲେଖାଥିବା ଅସ୍ଥାୟୀ ହୋର୍ଡିଂ ହଟାଇ ସ୍ଥାୟୀ ହୋର୍ଡିଂ ଲଗାଇଛନ୍ତି। ଏବେ ମମତାଙ୍କ ଏପରି କାର୍ଯ୍ୟ ପୁଣି ବିବାଦକୁ ବଢ଼ାଇଛି।
ସେପଟେ ଦୀଘାରେ ଜଗନ୍ନାଥ ଧାମ ଲେଖାକୁ ନେଇ ଉପୁଜୁଥିବା ବିବାଦରେ ଏଣ୍ଟ୍ରି ମାରିଛନ୍ତି ଉତ୍ତରାଖଣ୍ଡ ଜୋଶୀମଠସ୍ଥିତ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ। ସେ ସ୍ପଷ୍ଟ କରିଛନ୍ତି ଧାମ ଶବ୍ଦ ନିର୍ଦ୍ଦିଷ୍ଟ ଭାବେ ବ୍ୟାଖ୍ୟା ହୋଇଛି। କେବଳ ପୁରୀର ଶ୍ରୀଜଗନ୍ନାଥ ପୀଠକୁ ହିଁ ଜଗନ୍ନାଥ ଧାମ କୁହାଯାଇପାରିବ। ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏପଟେ ଦୀଘା ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବର୍ତ୍ତମାନ ଦୀଘା ମନ୍ଦିର ପ୍ରତିଷ୍ଠା ପରେ ସୃଷ୍ଟି ହୋଇଥିବା ବିବାଦରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଦୀଘା ଜଗନ୍ନାଥ ଧାମ କହିବା ଧାର୍ମିକ ଭାବନାକୁ ଆଘାତ ଦେଉଛି। ତେଣୁ ଏଥିରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଗଜପତି ମହାରାଜା, ମୁକ୍ତିମଣ୍ଡପ ପଣ୍ଡିତସଭା, ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ବାରଣ ପରେ ବି ଦୀଘା ଜଗନ୍ନାଥ ମନ୍ଦିର ପାଖରେ ପୁଣି ଜଗନ୍ନାଥ ଧାମ ବୋର୍ଡ ଲଗାଇଛନ୍ତି ଦିଦି, ଯାହାକୁ ନେଇ ଏହି ବିବାଦ ଏବେ ଉଗ୍ରରୂପ ନେବାରେ ଲାଗିଛି।