ମହାରାଷ୍ଟ୍ର ଭୋଟ ପୂର୍ବରୁ ଏକନାଥ ସିନ୍ଦେଙ୍କ ଆଶ୍ଚର୍ଯ୍ୟଜନକ ବୟାନ, କହିଲେ- ମୁଁ ନାହିଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ

Published By : Prameya-News7 Bureau | November 17, 2024 IST

ମୁମ୍ବାଇ ୧୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ଚରମ ସୀମାକୁ ପହଞ୍ଚିଛି। ବରିଷ୍ଠ ନେତାମାନେ ରାଜ୍ୟକୁ ଆସୁଛନ୍ତି ଓ ଜନତାଙ୍କ ଗହଣକୁ ଯାଇ ନିଜନିଜ ପାର୍ଟିର ପ୍ରାର୍ଥୀଙ୍କୁ ଜିତେଇବାକୁ ନିବେଦନ କରୁଛନ୍ତି। ଏଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀ କିଏ ହେବ ଏହା ନା ମହାଯୁତି ଘୋଷଣା କରୁଛି ନା ମହାବିକାଶ ଆଘାଡ଼ି (ଏମଭିଏ)। ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ରବିବାର ବଡ଼ ବୟାନ ଦେଇଛନ୍ତି। 

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ରାଜ୍ୟରେ ମହାଯୁତି ମେଣ୍ଟରୁ ହିଁ ମୁଖ୍ୟମନ୍ତ୍ରୀ ହେବେ, ହେଲେ ସେ ଏହି ଦୌଡରେ ନାହାନ୍ତି। ସେ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଳାୟିତ ନୁହନ୍ତି। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ଦିନରେ କହିଥିଲେ ଯେ ନିର୍ବାଚନ ପରେ ମହାଯୁତିର ସହଯୋଗୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ନେଇ ନିଷ୍ପତ୍ତି ନେବେ। ଏଥିରୁ ବିହାର ଭଳି ମହାରାଷ୍ଟ୍ରରେ ମଧ୍ୟ ଏକନାଥ ସିନ୍ଦେଙ୍କୁ ଆଉଥରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଥିଲା। ହେଲେ ଏବେ ନିଜେ ସିନ୍ଦେ ଦୈଡରୁ ନିଜକୁ ବାହାର କରିଦେଇଛନ୍ତି। 

ମହାରାଷ୍ଟ୍ରରେ ମହାଯୁତି ମେଣ୍ଟ ଚଳିତ ନିର୍ବାଚନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଲଢୁଛି। ଏଣୁ ନିର୍ବାଚନକୁ ସିନ୍ଦେଙ୍କ ଚେହେରାରେ ଲଢା ଯାଉଥିବା ବେଳେ ତାଙ୍କର ଏପରି ବୟାନ ଏବେ ଭୋଟରଙ୍କୁ ଦ୍ୱିବିଧାରେ ପକାଇବ ବୋଲି ଆକଳନ କରାଗଲାଣି। ଅନ୍ୟପଟେ  ଏମଭିଏ ମଧ୍ୟ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଏଥର ନିର୍ବାଚନ ଲଢୁଛି। ନିର୍ବାଚନର ଫଳାଫଳ ଉପରେ ମେଣ୍ଟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିଷ୍ପତ୍ତି ନିଆଯିବ। ତେବେ ମହାଯୁତି କଥା କିନ୍ତୁ ଅଲଗା ନିର୍ବାଚନ ସିନ୍ଦେଙ୍କ ନେତୃତ୍ୱ ରେ ଲଢାଯାଉଥିବା ବେଳେ ସେ ହିଁ ମୁଖ୍ୟମନ୍ତ୍ରୀ ଦୌଡରୁ ବାହାରକୁ ପଳାଇଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.