କୋଲକାତା ୧୭।୧୧: ଜନତାଙ୍କ ନିମନ୍ତେ ୧୯୪୩ ମସିହାରେ ଖୋଲାଯାଇଥିବା ହାୱଡା ବ୍ରିଜକୁ ଶନିବାର ରାତି ସାଢେ ୧୧ଟାରୁ ରବିବାର ଭୋର ସାଢେ ୪ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ଏହି ଅବଧିରେ ପୋଲର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଛି। ଏଥିରେ ପୋଲର ଷ୍ଟ୍ରକ୍ଚର ପୁରା ଯାଞ୍ଚ ହୋଇଛି। ୪୦ ବର୍ଷ ପରେ ଯାଞ୍ଚ ନିମନ୍ତେ ଦୀର୍ଘ ୬ ଘଣ୍ଟା ଧରି ପୋଲକୁ ବନ୍ଦ ରଖାଯାଇଥିଲା। ହାୱଡା ଓ କୋଲକାତାକୁ ସଂଯୁକ୍ତ କରୁଥିବା ହୁଗୁଳି ନଦୀ ଉପରେ ଏହି ପୋଲକୁ କେବଳ କୋଲକାତା ନୁହେଁ ସାରା ଭାରତର ଗର୍ବ ବୋଲି କୁହାଯାଏ।
ଏହି ପୋଲ ଦେଇ ଦୈନିକ ୧ଲକ୍ଷ ବାହନ ଓ ୧୫ ହଜାର ଲୋକ ଯାତାୟାତ କରିଥାନ୍ତି। ହାୱଡା ବ୍ରିଜ ଏଥି ପାଇଁ ଖାସ ଯେ ଏହି ପୋଲ ନିର୍ମାଣରେ ଗୋଟେ ବି ନଟ୍ ବୋଲ୍ଟ ବ୍ୟବହାର ହୋଇନାହିଁ। ଏହି ପୋଲର ପ୍ରକୃତ ନାମ ହେଉଛି ରବିନ୍ଦ୍ର ସେତୁ, ଏହାକୁ ଏହି ନାମ ୧୯୬୫ ମସିହାରେ ଦିଆଯାଇଥିଲା, ହେଲେବି ଲୋକେ ଏହାକୁ ଏବେବି ହାୱଡା ବ୍ରିଜ ନାମରେ ଜାଣନ୍ତି। ଏହି ବ୍ରିଜର ନିର୍ମାଣ ବ୍ରିଟିଶ ସରକାର ୧୯୩୬ ମସିହାରେ ଆରମ୍ଭ କରିଥିଲେ। ଏହାର ନିର୍ମାଣ କାମ ୬ ବର୍ଷ ଅର୍ଥାତ ୧୯୪୨ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ପୋଲକୁ ୩ ଫେବୃଆରୀ ୧୯୪୩ରେ ସାଧାରଣ ଜନତାଙ୍କ ଯାତାୟାତ ନିମନ୍ତେ ଉନ୍ମୁକ୍ତ କରାଯାଇଥିଲା।
ଅନ୍ୟ ଏକ ଖାସ କଥା ହେଉଛି ଏହି ପୋଲର ଔପଚାରିକ ଉଦଘାଟନ ଏପର୍ଯ୍ୟନ୍ତ ହୋଇ ନାହିଁ। ଯେତେବେଳେ ପୋଲର ନିର୍ମାଣ ଶେଷ ହୋଇଥିଲା ସେତେବେଳେ ବିଶ୍ୱ ଯୁଦ୍ଧ ଲାଗିଥିଲା। ଏଣୁ ବ୍ରିଟିଶ ସରକାର ଏହାକୁ ଉଦଘାଟନ ନ କରି ସାଧାରଣ ଜନତାଙ୍କ ନିମନ୍ତେ ଖୋଲି ଦେଇଥିଲେ। ହାୱଡା ବ୍ରିଜ୍ ଏକ କଣ୍ଟିଲିଭର ପୋଲ। ନିର୍ମାଣ ସମୟରେ ହାୱଡା ବ୍ରିଜ ବିଶ୍ୱର ତୃତୀୟ ବୃହତ୍ତମ କଣ୍ଟିଲିଭର ପୋଲ ଥିଲା ଓ ଏବେ ଏହା ବିଶ୍ୱର ଷଷ୍ଠ ଦୀର୍ଘତମ କଣ୍ଟିଲିଭର ପୋଲ ଭାବେ ପରିଚିତ ହେଉଛି। ଏହା ନଦୀର ଦୁଇ କୂଳରେ ନିର୍ମିତ ୨୮୦ ଫୁଟ ଉଚ୍ଚା ଦୁଇଟି ପିଲରରେ ଛିଡା ହୋଇଛି।
ହାୱଡା ବ୍ରିଜକୁ ରେଲୱେ ଚିଫ୍ ଇଞ୍ଜିନିୟର ବ୍ରାଡଫୋର୍ଡ ଲେସଲୀ ଡିଜାଇନ କରିଥିଲେ। ଏହି ପୋଲକୁ ବ୍ରେଥଭେଟ ବର୍ଣ୍ଣ ଆଣ୍ଡ ଜେସପ କନଷ୍ଟ୍ରକ୍ସନ କମ୍ପାନୀ ଲିମିଚେଡ (ବିବିଜେ) ନିର୍ମାଣ କରିଥିଲା। ପୋଲର ନିର୍ମାଣରେ ୨୩,୦୦୦ ଟନ ହାଇ-ଟେନସିଲ ଆଲୟ ଷ୍ଟିଲ୍ (ଯାହାକୁ ଟିସ୍କ୍ରୋମ ବି କୁହାଯାଏ) ବ୍ୟବହୃତ ହୋଇଥିଲା। ଏହି ଆଲୟଷ୍ଟିଲକୁ ସେତେବେଳେ ଟାଟା ଷ୍ଟିଲ ଉତ୍ପାଦନ କରିଥିଲେ।
୧୯୪୩ ମସିହାରେ ଖୋଲିବା ପରଠାରୁ ଦୀର୍ଘ ୪୦ ବର୍ଷ ପର୍ଯ୍ୟନ୍ତ ପୋଲରେ ଯାତାୟାତ ଜାରି ରହିଥିଲା। ତେବେ ୧୯୮୩ ମସିହାରେ ପ୍ରଥମ ଥର ପୋଲକୁ ଯାଞ୍ଚ କରିବାକୁ ଏହା ଉପରେ ଯାତାୟାତ ବନ୍ଦ କରାଯାଇଥିଲା। ଯାଞ୍ଚରେ ହାୱଡା ବ୍ରିଜ୍ ସମ୍ପୂର୍ଣ୍ଣ ଫିଟ ଘୋଷିତ ହୋଇଥିଲା। ଏବେ ପ୍ରଥମ ଯାଞ୍ଚର ୪୦ ବର୍ଷ ପରେ ପୋଲର ପୁଣି ଯାଞ୍ଚ ହୋଇଛି।