ନୂଆଦିଲ୍ଲୀ: ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ୪୩ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ବା IITF। ଏହି ମେଳାରେ ଓଡ଼ିଶା ପାଭିଲିୟନର ଷ୍ଟଲ ଉଦ୍ଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଆଇଆଇଟିଏଫ୍ର ବାଣିଜ୍ୟ ମେଳା ୧୦ ଦିନ ଧରି ଚାଲିବ। ବିକଶିତ ଭାରତ @୨୦୨୪ ଥିମ୍ରେ ଆରମ୍ଭ ହୋଇଥିବା ଏହି ଭାରତ ଆନ୍ତର୍ଜାତୀୟ ମେଳାର ଓଡ଼ିଶା ପାଭିଲିୟନରେ ମଧ୍ୟ ପ୍ରତିଫଳିତ ହୋଇଛି ବିକଶିତ ଓଡ଼ିଶାର ଛବି।
ଓଡ଼ିଶାର ମହିଳା ସଶକ୍ତିକରଣ, ମିଶନ ଶକ୍ତି, ଓରମାସ, କଫି, ଫିଲିଗିରି କାମ, କଳା ଓ ସଂସ୍କୃତି ଏବଂ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଛି। ଏହି ମେଳା ମାଧ୍ୟମରେ ଓଡ଼ିଶାକୁ ପର୍ଯ୍ୟଟନ ଏବଂ ବାଣିଜ୍ୟ ବୃଦ୍ଧି ପାଇବା ସହ ଏହା ଓଡ଼ିଶା ବିକାଶ ପାଇଁ ମାଇଲଷ୍ଟୋନ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତ ମଣ୍ଡପମରେ ୬୦୦ ବର୍ଗ ମିଟର ଅଞ୍ଚଳରେ ଓଡ଼ିଶାର ପାଭିଲିୟନ କରାଯାଇଛି। ଏଥିରେ ଓଡ଼ିଶାର ୨୫ଟି ଷ୍ଟଲ୍ ରହିଛି। ଯେଉଁଥିରେ ଫିଲିଗ୍ରି , ବିକଶିତ ଓଡ଼ିଶା ଚକ୍ର, କରୁଣା ଶାଢ଼ୀ, ଏବଂ ମେଟ୍ରୋ ରେଳକୁ ପ୍ରୋଜେକ୍ଟ କରାଯାଇଛି। ମିଲେଟ ମିଶନରେ ମହିଳା ଭାଗିଦାରୀକୁ ମହିଳା ସଶକ୍ତିକରଣରେ ଦର୍ଶାଯାଇଛି। ମୁକ୍ତେଶ୍ଵର ମଦିର ଏବଂ ରତ୍ନଗିରିର କାରୁକାର୍ଯ୍ୟରେ ପାଭିଲିୟନ ଗେଟ ତିଆରି କରାଯାଇଛି। ୨୭ ତାରିଖ ପର୍ଯ୍ୟନ୍ତ ଏହି ବାଣିଜ୍ୟ ମେଳା ଚାଲିବ। ଯେଉଁଠାରେ ଭାରତର ବିଭିନ୍ନ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ପ୍ରଦର୍ଶିତ କରାଯାଇଛି।