‘ଷ୍ଟାର ପ୍ରଚାରକ ଏବଂ ନେତାଙ୍କୁ ନିୟନ୍ତ୍ରଣରେ ରଖ’, ନଡ୍ଡା ଏବଂ ଖଡଗେଙ୍କୁ ନିର୍ବାଚନ ଆୟୋଗଙ୍କ ଚିଠି

Published By : Prameya-News7 Bureau | November 16, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନୀ ପ୍ରଚାରକୁ ନେଇ ହୋଇଥିବା ଅଭିଯୋଗ ଉପରେ କଂଗ୍ରେସ ଏବଂ ବିଜେପିକୁ ଚିଠି ଲେଖିଛନ୍ତି ନିର୍ବାଚନ ଆୟୋଗ । ଜେପି ନଡ୍ଡା ଏବଂ ଖଡଗେଙ୍କୁ ଲେଖିଥିବା ଚିଠିରେ ନିଜ ଷ୍ଟାର ପ୍ରଚାରକ ଏବଂ ନେତାଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଆୟୋଗ କହିଛନ୍ତି । ନିର୍ବାଚନ ଆୟୋଗ ଦୁଇ ନେତାଙ୍କୁ ଲେଖିଥିବା ଚିଠିରେ ପରସ୍ପର ବିରୋଧରେ ଅଣାଯାଇଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବା ପାଇଁ କହିଛନ୍ତି ।

ନିର୍ବାଚନ ଆୟୋଗ ଦୁଇ ରାଷ୍ଟ୍ରୀୟ ପାର୍ଟିର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନଭେମ୍ୱର ୧୮ ସୁଦ୍ଧା ଔପଚାରିକ ବୟାନ ଦେବା ପାଇଁ କହିଛନ୍ତି । ଏହାସହ ନିର୍ବାଚନ ଆୟୋଗ ମେ ୨୨ରେ ଜାରି କରିଥିବା ନିଜର ପୁରୁଣା ମାର୍ଗଦର୍ଶିକା କଥା ଉଲ୍ଲେଖ କରି, ଏହାକୁ ପାଳନ କରିବା ପାଇଁ ଦୁଇ ନେତାଙ୍କୁ କହିଛନ୍ତି । ନିର୍ବାଚନୀ ରାଲିରେ ସାର୍ବଜନୀନ ମର୍ଯ୍ୟାଦାର ଉଲ୍ଲଂଘନ ନକରି ଏବଂ ପ୍ରଚାର ସମୟରେ ଆଦର୍ଶ ଆଚରଣ ସଂହିତାର ସଠିକ୍ ପାଳନ ପାଇଁ କହିଛନ୍ତି ।

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଜାରି ନିର୍ବାଚନୀ ପ୍ରଚାରରେ ଦୁଇ ପାର୍ଟି ପରସ୍ପର ବିରୋଧରେ ବୟାନବାଜି ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ନିକଟରେ ପରସ୍ପର ବିରୋଧରେ ଔପଚାରିକ ଭାବେ ଅଭିଯୋଗ ବି ରଖିଛନ୍ତି । ଏହି ଅଭିଯୋଗ ଉପରେ ଏବେ ନିର୍ବାଚନ ଆୟୋଗ ଦୁଇ ପ୍ରମୁଖ ଦଳର ଅଧ୍ୟକ୍ଷଙ୍କୁ ତଲବ କରିଛନ୍ତି ।

ରିପୋର୍ଟ ଅନୁସାରେ ବିଜେପି ନେତା ନିର୍ବାଚନ ପ୍ରଚାର ବେଳେ ମିଛ ଏବଂ ବିଭାଜନକାରୀ ବୟାନ ଦେଉଥିବା କଂଗ୍ରେସ ଅଭିଯୋଗ କରିଥିଲା । ଅନ୍ୟପଟେ ନଭେମ୍ୱର ୧୧ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା । ରାହୁଲ ଗାନ୍ଧୀ ଦୁଇ ରାଜ୍ୟ ମଧ୍ୟରେ ବିବାଦ କରିବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଥିଲା । ଏହାସହ ସମ୍ୱିଧାନକୁ ନେଇ ମିଛ ପ୍ରଚାର କରୁଛନ୍ତି ବୋଲି ପଦ୍ମ ଦଳ ଲିଖିତ ଅଭିଯୋଗରେ ଜଣାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି । ନଭେମ୍ୱର ୨୦ରେ ମହାରାଷ୍ଟ୍ର ମତଦାନ ସହ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ । ନଭେମ୍ୱର ୨୩ରେ ଉଭୟ ରାଜ୍ୟର ପରିଣାମ ଘୋଷଣା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.