୨୩ କୋଟିର ମଇଁଷି, ଖାଉଛି ଅଣ୍ଡା ଏବଂ ଆଲ୍‌ମଣ୍ଡ, ଶୁକ୍ରାଣୁ ବିକ୍ରିରୁ ଆୟ ୪-୫ ଲକ୍ଷ ଟଙ୍କା

Published By : Prameya-News7 Bureau | November 16, 2024 IST

ନୂଆଦିଲ୍ଲୀ: ଓଜନ ୧୫୦୦ କିଲୋଗ୍ରାମ, ଉଚ୍ଚତା ୫ ଫୁଟ ୮ ଇଞ୍ଚ ଏବଂ ଲମ୍ୱ ୧୩ ଫୁଟ୍ । ୨୩ କୋଟି ଟଙ୍କା ମୂଲ୍ୟର ବିଶାଳକାୟ ମଇଁଷିର ରକ୍ଷଣାବେକ୍ଷଣରେ ମାସକୁ ଲକ୍ଷ ଲକ୍ଷ ଟଙ୍କାରେ ଖର୍ଚ୍ଚ । ହଁ, ଆଜ୍ଞା ୨୩ କୋଟି ଟଙ୍କାର ମଇଁଷ ! ହରିୟାଣାର ଏହି ମଇଁଷି ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଭାରତର ପ୍ରମୁଖ କୃଷି ମେଳା ଯେପରିକି ରାଜସ୍ଥାନର ପୁଷ୍କର ଏବଂ ସର୍ବଭାରତୀୟ କୃଷି ମେଳା, ମେରୁଟରେ ଏହାର ପ୍ରଦର୍ଶନୀ ହୋଇସାରିଛି । ମଇଁଷିର ମୂଲ୍ୟକୁ ଯେତିକି ଚର୍ଚ୍ଚା, ତାଠୁ ଅଧିକ ତାର ଖାଦ୍ୟକୁ ନେଇ ଅଛି । 

ହରିୟାଣା ସିର୍‌ସାର ବାସିନ୍ଦା ଗିଲ୍ ଏହି ମଇଁଷିର ମାଲିକ । ମଇଁଷିର ନାଁ ‘ଅନ୍‌ମୋଲ’ ରଖିଛନ୍ତି । ଏହି ମଇଁଷିର କେବଳ ହରିୟାଣା ଏବଂ ରାଜସ୍ଥାନରେ ନୁହେଁ ବରଂ ବିଦେଶରେ ମଧ୍ୟ ଖ୍ୟାତି । ଏହି ମଇଁଷି ପ୍ରତିଦିନ ପ୍ରାୟ ୧୫୦୦ ଟଙ୍କାର ଖାଦ୍ୟ ଖାଇଥାଏ । ଦୈନିକ ୨୫୦ ଗ୍ରାମ ଆଲମଣ୍ଡ, ୪ କେଜି ଡାଳିମ୍ୱ, ୩୦ଟି କଦଳୀ, ୫ ଲିଟର କ୍ଷୀର ଏବଂ ୨୦ ଅଣ୍ଡା ଖାଉଛି । ନିୟମିତ ଖାଦ୍ୟ ବ୍ୟତୀତ ଅୟଲ୍ କେକ୍, ଘିଆ, ସୋୟାବିନ୍ ଏବଂ ମକା ମଧ୍ୟ ଖାଏ । ଏହାର ଶରୀରକୁ ପ୍ରତିଦିନ ଆଲମଣ୍ଡ ଏବଂ ସୋରିଷ ତେଲର ମିଶ୍ରଣରେ ମାଲିସ୍ କରାଯାଏ । ଅନମୋଲର ଦୈନିକ ଖର୍ଚ୍ଚ ବହୁ ଅଧିକ ଥିବା ସତ୍ତ୍ୱେ ଏହାର ମାଲିକ କୌଣସି ପ୍ରକାର ଅବହେଳା କରନ୍ତି ନାହିଁ ।

ଗିଲ୍ କହିଛନ୍ତି, ମଇଁଷିର ରକ୍ଷଣାବେକ୍ଷଣରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ । ଅନମୋଲ ପାଇଁ ଗିଲଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲେ ହେଁ ସେ କେବେ ହେଲେ ଏଥିରେ ବୁଝାମଣା କରି ନାହାନ୍ତି । ଅନମୋଲର ରକ୍ଷାଣବେକ୍ଷଣ ପାଇଁ ତା’ର ମା’ ଓ ଭଉଣୀକୁ ମଧ୍ୟ ବିକ୍ରି କରିସାରିଛନ୍ତି । ଅନମୋଲର ମାଆ ଦୈନିକ ୨୫ ଲିଟର କ୍ଷୀର ଦେଉଥିଲା । 

ଅନମୋଲର ଶୁକ୍ରାଣୁର ଚାହିଦା ବହୁ ଅଧିକ । ସପ୍ତାହକୁ ଗିଲ୍ ଦୁଇ ଥର ଅନମୋଲର ଶୁକ୍ରାଣୁ ସଂଗ୍ରହ କରନ୍ତି । ଏହି ଶୁକ୍ରାଣୁକୁ ବିକ୍ରି କରି ଗିଲ୍ ମାସକୁ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ପାଆନ୍ତି । ଅନମୋଲ ଦାମୀ ହୋଇଥିଲେ ବି ଏହାକୁ କିଣିବା ପାଇଁ ଅନେକ ଲୋକ ଗିଲଙ୍କ ସହ ଯୋଗାଯୋଗ ବି କରିଛନ୍ତି, କିନ୍ତୁ ବିକ୍ରି କରିବା କଥା କେବେ ବିଚାର କରିନଥିବା କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.